ଚାଳନା ଓ ସୁରକ୍ଷା ପାଇଁ ପ୍ରାର୍ଥନା
ଦାଉଦଙ୍କର ଗୀତ।
1ହେ ସଦାପ୍ରଭୋ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ।
2ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନିଏ,
ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ;
ମୋହର ଶତ୍ରୁମାନେ ମୋʼ ଉପରେ ଉଲ୍ଲାସ ନ କରନ୍ତୁ।
3ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି,
ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ;
ଯେଉଁମାନେ ଅକାରଣରେ ବିଶ୍ୱାସଘାତକତା କରନ୍ତି, ସେମାନେ ଲଜ୍ଜିତ ହେବେ।
4ହେ ସଦାପ୍ରଭୋ, ତୁମ୍ଭର ପଥସବୁ ମୋତେ ଦେଖାଅ;
ତୁମ୍ଭର ମାର୍ଗସବୁ ମୋତେ ଶିଖାଅ।
5ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ;
କାରଣ ତୁମ୍ଭେ ମୋʼ ପରିତ୍ରାଣର ପରମେଶ୍ୱର ଅଟ;
ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ।
6ହେ ସଦାପ୍ରଭୋ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର।
କାରଣ ତାହା ଅନାଦିକାଳୀନ।
7ମୋʼ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ;
ହେ ସଦାପ୍ରଭୋ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର।
8ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି;
ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ।
9ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ
ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ।
10ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି,
ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ।
11ହେ ସଦାପ୍ରଭୋ, ଆପଣା ନାମ ସକାଶୁ
ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼।
12ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ?
ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ।
13ତାହାର ପ୍ରାଣ କୁଶଳରେ ବାସ କରିବ
ଓ ତାହାର ବଂଶ ଦେଶ ଅଧିକାର କରିବେ।
14ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ;
ଆଉ, ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ।
15ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏ;
କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ।
16ମୋʼ ପ୍ରତି ଫେର ଓ ମୋʼ ପ୍ରତି ଦୟା କର;
କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ।
17ମୋʼ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି;
ତୁମ୍ଭେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର।
18ମୋହର କ୍ଳେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର;
ପୁଣି, ମୋହର ପାପସବୁ କ୍ଷମା କର।
19ମୋହର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ;
ସେମାନେ ଦାରୁଣ ଘୃଣା ଭାବରେ ମୋତେ ଘୃଣା କରନ୍ତି।
20ମୋʼ ପ୍ରାଣକୁ ରକ୍ଷା କର ଓ ମୋତେ ଉଦ୍ଧାର କର;
ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମ୍ଭଠାରେ ଶରଣ ନେଇଅଛି।
21ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ,
କାରଣ ମୁଁ ତୁମ୍ଭର ଅନୁସରଣ କରେ।
22ହେ ପରମେଶ୍ୱର, ଇସ୍ରାଏଲକୁ ତାହାର ସମସ୍ତ
ତାହାର ସମସ୍ତ ସଙ୍କଟରୁ ମୁକ୍ତ କର।