ସଦାପ୍ରଭୁଙ୍କଠାରେ ନିର୍ଭର
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
1ମୁଁ ସଦାପ୍ରଭୁଙ୍କଠାରେ ଶରଣ ନିଏ;
ତୁମ୍ଭେମାନେ କିପରି ମୋʼ ପ୍ରାଣକୁ କହୁଅଛ,
“ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ?”
2କାରଣ ଦେଖ! ଦୁଷ୍ଟମାନେ ସରଳଚିତ୍ତ ଲୋକକୁ
ଅନ୍ଧକାରରେ ବିନ୍ଧିବା ପାଇଁ ଧନୁ ନୁଆଁନ୍ତି,
ସେମାନେ ଗୁଣରେ ତୀରଯୁକ୍ତ କରନ୍ତି।
3ଯଦି ଭିତ୍ତିମୂଳ ଉତ୍ପାଟିତ ହୁଏ,
ତେବେ ଧାର୍ମିକ କʼଣ କରି ପାରିବ?
4ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି,
ସଦାପ୍ରଭୁଙ୍କର ସିଂହାସନ ସ୍ୱର୍ଗରେ,
ତାହାଙ୍କ ଚକ୍ଷୁ ନିରୀକ୍ଷଣ କରେ, ତାହାଙ୍କ ଚକ୍ଷୁର ପତା ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରେ।
5ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି;
ମାତ୍ର ଦୁଷ୍ଟ ଓ ଦୌରାତ୍ମ୍ୟପ୍ରିୟ ଲୋକକୁ ସେ ଘୃଣା କରନ୍ତି।
6ସେ ଦୁଷ୍ଟମାନଙ୍କ ଉପରେ ଜାଲ ବର୍ଷାଇବେ;
ଅଗ୍ନି, ଗନ୍ଧକ ଓ ଝାଞ୍ଜି ପବନ ସେମାନଙ୍କ ପାନପାତ୍ରର ଅଂଶ ହେବ।
7କାରଣ ସଦାପ୍ରଭୁ ଧର୍ମମୟ; ସେ ଧାର୍ମିକତାକୁ ପ୍ରେମ କରନ୍ତି;
ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ।