ସହାୟତା ପାଇଁ ନିବେଦନ
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
1ହେ ସଦାପ୍ରଭୋ, ତୁମ୍ଭେ କେତେ କାଳ ପର୍ଯ୍ୟନ୍ତ ମୋତେ ପାସୋରିବ?
ତୁମ୍ଭେ କେତେ କାଳ ମୋʼ ଠାରୁ ଆପଣା ମୁଖ ଲୁଚାଇବ?
2ମୁଁ ସାରାଦିନ ନିଜ ଅନ୍ତଃକରଣରେ ଦୁଃଖିତ ହୋଇ
କେତେ କାଳ ମନେ ମନେ ପରାମର୍ଶ କରିବି?
କେତେ କାଳ ମୋʼ ଶତ୍ରୁ ମୋʼ ଉପରେ ଉଚ୍ଚୀକୃତ ହେବ?
3ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ବିବେଚନା କର ଓ ମୋତେ ଉତ୍ତର ଦିଅ;
ମୋହର ଚକ୍ଷୁ ସତେଜ କର, ନୋହିଲେ ମୁଁ ମୃତ୍ୟୁୁ-ନିଦ୍ରାରେ ନିଦ୍ରାଗତ ହେବି;
4କେଜାଣି ମୋʼ ଶତ୍ରୁ କହିବ, “ମୁଁ ତାହାକୁ ଜୟ କରିଅଛି,”
ଆଉ, ମୁଁ ଘୁଞ୍ଚାଗଲେ, ମୋହର ବିପକ୍ଷଗଣ ଉଲ୍ଲାସ କରିବେ।
5ମାତ୍ର ମୁଁ ତୁମ୍ଭ ଦୟାରେ ଭରସା ରଖିଅଛି;
ତୁମ୍ଭ କୃତ ପରିତ୍ରାଣରେ ମୋର ଅନ୍ତଃକରଣ ଉଲ୍ଲାସ କରିବ;
6ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି,
କାରଣ ସେ ମୋହର ପ୍ରଚୁର ମଙ୍ଗଳ କରିଅଛନ୍ତି।