ଆୟୁବ - ମୋହର ମୁକ୍ତିକର୍ତ୍ତା ଜୀବିତ
1ଏଥିରେ ଆୟୁବ ଉତ୍ତର କରି କହିଲା,
2“ତୁମ୍ଭେମାନେ କେତେ କାଳ ମୋʼ ପ୍ରାଣକୁ ବିରକ୍ତ କରିବ
ଓ କଥାରେ ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗିବ?
3ତୁମ୍ଭେମାନେ ଦଶ ଥର ମୋତେ ତିରସ୍କାର କରି ସାରିଲଣି,
ମୋʼ ପ୍ରତି ନିଷ୍ଠୁର ବ୍ୟବହାର କରିବାରେ ତୁମ୍ଭେମାନେ ଲଜ୍ଜିତ ହେଉ ନାହଁ।
4ହେଉ, ମୁଁ ଭ୍ରମ କରିଅଛି,
ମୋହର ଭ୍ରମ ମୋʼ ସଙ୍ଗେ ଥାଏ।
5ଯଦି ତୁମ୍ଭେମାନେ ନିତାନ୍ତ ମୋʼ ଉପରେ ଆପଣାମାନଙ୍କୁ ବଡ଼ କରିବ
ଓ ମୋʼ ବିରୁଦ୍ଧରେ ମୋʼ ଗ୍ଳାନିର ପ୍ରତିବାଦ କରିବ;
6ତେବେ ଜାଣ ଯେ, ପରମେଶ୍ୱର ମୋʼ ବିଷୟରେ ବିପରୀତ କରିଅଛନ୍ତି
ଓ ଆପଣା ଜାଲରେ ମୋତେ ଚାରିଆଡ଼େ ଘେରିଅଛନ୍ତି।
7ଦେଖ, ମୁଁ ଅନ୍ୟାୟପ୍ରଯୁକ୍ତ କ୍ରନ୍ଦନ କରେ, ମାତ୍ର ତାହା ଶୁଣାଯାଉ ନାହିଁ;
ମୁଁ ସାହାଯ୍ୟ ନିମନ୍ତେ ଆର୍ତ୍ତନାଦ କରେ, ମାତ୍ର କିଛି ବିଚାର ହୁଏ ନାହିଁ।
8ସେ ମୋʼ ପଥ ରୁଦ୍ଧ କରିଅଛନ୍ତି, ତହୁଁ ମୁଁ ଯାଇ ନ ପାରେ
ଓ ମୋହର ପଥ ଅନ୍ଧକାରମୟ କରିଅଛନ୍ତି।
9ସେ ମୋʼ ଗୌରବ-ବସ୍ତ୍ର କାଢ଼ି ପକାଇଅଛନ୍ତି
ଓ ମୋʼ ମସ୍ତକରୁ ମୁକୁଟ ନେଇଅଛନ୍ତି।
10ସେ ଚାରିଆଡ଼େ ମୋତେ ଭାଙ୍ଗି ପକାଇଅଛନ୍ତି, ମୁଁ ସରିଗଲିଣି
ଓ ସେ ମୋହର ଭରସା ବୃକ୍ଷ ପରି ଉତ୍ପାଟନ କରିଅଛନ୍ତି।
11ମଧ୍ୟ ସେ ମୋʼ ବିରୁଦ୍ଧରେ ଆପଣା କ୍ରୋଧ ପ୍ରଜ୍ୱଳିତ କରିଅଛନ୍ତି
ଓ ସେ ମୋତେ ଆପଣାର ଜଣେ ବିପକ୍ଷ ପରି ଗଣନା କରନ୍ତି।
12ତାହାଙ୍କର ସୈନ୍ୟଗଣ ଏକତ୍ର ଆସନ୍ତି
ଓ ମୋʼ ବିରୁଦ୍ଧରେ ଆପଣାମାନଙ୍କ ପଥ ପ୍ରସ୍ତୁତ କରନ୍ତି
ଓ ମୋʼ ତମ୍ବୁ ଚାରିଆଡ଼େ ଛାଉଣି କରନ୍ତି।
13ସେ ମୋହର ଜ୍ଞାତିମାନଙ୍କୁ ମୋʼ ଠାରୁ ଦୂର କରିଅଛନ୍ତି
ଓ ମୋହର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇଅଛନ୍ତି।
14ମୋʼ କୁଟୁମ୍ବବର୍ଗ ମୋତେ ତ୍ୟାଗ କରିଅଛନ୍ତି
ଓ ଆତ୍ମୀୟ ମିତ୍ରଗଣ ମୋତେ ପାସୋରିଅଛନ୍ତି।
15ମୋʼ ଗୃହନିବାସୀମାନେ ଓ ମୋʼ ଦାସୀମାନେ ମୋତେ ଅଜଣା ଲୋକ କରି ଗଣନ୍ତି;
ମୁଁ ସେମାନଙ୍କ ଦୃଷ୍ଟିରେ ବିଦେଶୀ ହୋଇଅଛି।
16ମୁଁ ଆପଣା ଦାସକୁ ଡାକିଲେ
ଓ ନିଜ ମୁଖରେ ବିନତି କଲେ ହେଁ ସେ ମୋତେ ଉତ୍ତର ଦିଏ ନାହିଁ।
17ମୋʼ ନିଶ୍ୱାସ ମୋʼ ଭାର୍ଯ୍ୟା ପ୍ରତି
ଓ ମୋʼ ନିବେଦନ ମୋʼ ସହୋଦର ପ୍ରତି ଘୃଣିତ।
18ବାଳକମାନେ ମଧ୍ୟ ମୋତେ ଅବଜ୍ଞା କରନ୍ତି;
ମୁଁ ଉଠିଲେ, ସେମାନେ ମୋʼ ବିରୁଦ୍ଧରେ କଥା କହନ୍ତି।
19ମୋହର ସୁହୃଦମାନେ ମୋତେ ଘୃଣା କରନ୍ତି
ଓ ଯେଉଁମାନଙ୍କୁ ମୁଁ ସ୍ନେହ କଲି, ସେମାନେ ମୋହର ବିରୁଦ୍ଧ ହୋଇଅଛନ୍ତି।
20ମୋʼ ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗି ଯାଇଅଛି
ଓ ମୁଁ ଚର୍ମାବଶିଷ୍ଟଦନ୍ତ ହୋଇ ବଞ୍ଚିଅଛି।
21ହେ ମୋହର ମିତ୍ରମାନେ, ମୋʼ ପ୍ରତି ଦୟା କର, ମୋʼ ପ୍ରତି ଦୟା କର;
କାରଣ ପରମେଶ୍ୱରଙ୍କ ହସ୍ତ ମୋତେ ସ୍ପର୍ଶ କରିଅଛି।
22ପରମେଶ୍ୱରଙ୍କ ପରି ତୁମ୍ଭେମାନେ କାହିଁକି ମୋତେ ତାଡ଼ନା କରୁଅଛ
ଓ ମୋʼ ମାଂସରେ ତୃପ୍ତ ହେଉ ନାହଁ?
23ଆହା, ଏବେ ମୋʼ କଥାସବୁ ଯେବେ ଲେଖାଯାʼନ୍ତା!
ଆହା, ତାହାସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତା!
24ଯେବେ ଲୌହ ଲେଖନୀ ଓ ସୀସା ଦ୍ୱାରା
ସଦାକାଳ ପାଇଁ ତାହାସବୁ ପାଷାଣରେ ଖୋଦିତ ହୁଅନ୍ତା!
25ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି
ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ;
26ପୁଣି, ମୋହର ଚର୍ମ ଏହିରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ
ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି;
27ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି,
ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ।
ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି।
28ମୋʼ ଠାରେ ମୂଳକଥା ଦେଖାଯିବାରୁ ଯଦି ତୁମ୍ଭେମାନେ କୁହ,
ଆମ୍ଭେମାନେ କିପରି ତାହାକୁ ତାଡ଼ନା କରିବା?
29ତେବେ ତୁମ୍ଭେମାନେ ଖଡ୍ଗ ବିଷୟରେ ଭୀତ ହୁଅ;
କାରଣ କୋପ ଖଡ୍ଗରୂପ ଶାସ୍ତି ଆଣିବ;
ତହିଁରେ ବିଚାର ଯେ ଅଛି, ତାହା ତୁମ୍ଭେମାନେ ଜାଣି ପାରିବ।”