ବିଲ୍ଦଦ୍-ଦୁଷ୍ଟ ପ୍ରତି ଈଶ୍ୱରଙ୍କ ପ୍ରହାର
1ଏଥିଉତ୍ତାରେ ଶୂହୀୟ ବିଲ୍ଦଦ୍ ଉତ୍ତର କରି କହିଲା,
ତୁମ୍ଭେମାନେ କେତେ କାଳ କଥା ଧରିବା ପାଇଁ ଜାଲ ପାତିବ?
2“ବିବେଚନା କର, ତହିଁ ଉତ୍ତାରେ ଆମ୍ଭେମାନେ କହିବା।
3ଆମ୍ଭେମାନେ କାହିଁକି ପଶୁ ପରି ଗଣା ଯାଉଅଛୁ
ଓ ତୁମ୍ଭମାନଙ୍କ ଦୃଷ୍ଟିରେ ଅଶୁଚି ହୋଇଅଛୁ?
4କ୍ରୋଧରେ ଆପଣାକୁ ବିଦୀର୍ଣ୍ଣ କରୁଅଛ ଯେ ତୁମ୍ଭେ,
ତୁମ୍ଭ ପାଇଁ କʼଣ ପୃଥିବୀ ପରିତ୍ୟକ୍ତ ହେବ?
ଅବା ଶୈଳ କʼଣ ସ୍ୱ ସ୍ଥାନରୁ ଦୂରୀକୃତ ହେବ?
5ହଁ, ଦୁଷ୍ଟର ଦୀପ୍ତି ନିଭାଯିବ
ଓ ତାହାର ଅଗ୍ନିକଣା ନିସ୍ତେଜ ହେବ।
6ତାହାର ତମ୍ବୁରେ ଆଲୁଅ ଅନ୍ଧାର ହେବ
ଓ ତାହାର ଉପରିସ୍ଥ ପ୍ରଦୀପ ନିଭାଯିବ।
7ତାହାର ସାମର୍ଥ୍ୟର ଗତି ସଙ୍କୁଚିତ ହେବ
ଓ ତାହାର ନିଜ ମନ୍ତ୍ରଣା ତାହାକୁ ତଳେ ପକାଇବ।
8ସେ ଆପଣା ଚରଣ ଦ୍ୱାରା ଜାଲରେ ପଡ଼େ
ଓ ସେ ଫାନ୍ଦ ଉପରେ ଗମନାଗମନ କରେ।
9ଫାଶ ତାହାର ଗୋଇଠିକି ଧରିବ
ଓ ଜାଲ ତାହାକୁ ଧରିବ।
10ତାହା ପାଇଁ ଫାଶ ଭୂମିରେ ଗୁପ୍ତ ଅଛି
ଓ ପଥରେ ତାହା ପାଇଁ ଯନ୍ତା ଅଛି।
11ଭୟଙ୍କରତା ତାହାକୁ ଚତୁର୍ଦ୍ଦିଗରେ ଭୀତ କରିବ
ଓ ତାହାର ଗୋଡ଼େ ଗୋଡ଼େ ଗୋଡ଼ାଇବ।
12ତାହାର ବଳ କ୍ଷୁଧାରେ କ୍ଷୀଣ ହେବ
ଓ ତାହାର ଶେଷ ସମୟକୁ ବିପଦ ପ୍ରସ୍ତୁତ ଥିବ।
13ତାହା ତାହାର ଶରୀରର ଅବୟବସବୁ ଗ୍ରାସ କରିବ,
ହଁ, ମୃତ୍ୟୁର ପ୍ରଥମଜାତ ତାହାର ଅବୟବସବୁ ଗ୍ରାସ କରିବ।
14ସେ ଆପଣା ବିଶ୍ୱାସ-ସ୍ଥଳରୂପ ତମ୍ବୁରୁ ଉତ୍ପାଟିତ ହେବ
ଓ ସେ ଭୟଙ୍କର ରାଜା ନିକଟକୁ ଅଣାଯିବ।
15ତାହାର ଅସମ୍ପର୍କୀୟ ଲୋକ ତାହାର ତମ୍ବୁରେ ବାସ କରିବ,
ତାହାର ନିବାସ ସ୍ଥାନ ଉପରେ ଗନ୍ଧକ ବିଞ୍ଚାଯିବ।
16ତଳେ ତାହାର ମୂଳ ଶୁଷ୍କ ହେବ
ଓ ଉପରେ ତାହାର ଶାଖା ଉଚ୍ଛିନ୍ନ ହେବ।
17ପୃଥିବୀରୁ ତାହାର ସ୍ମୃତି ଲୁପ୍ତ ହେବ
ଓ ପଥରେ କେହି ତାହାର ନାମ ଧରିବ ନାହିଁ।
18ସେ ଆଲୁଅରୁ ଅନ୍ଧାରକୁ ତଡ଼ାଯିବ
ଓ ଜଗତରୁ ଘଉଡ଼ାଯିବ।
19ଆପଣା ଲୋକଙ୍କ ମଧ୍ୟରେ ତାହାର ପୁତ୍ର କି ପୌତ୍ର ରହିବେ ନାହିଁ,
କିଅବା ତାହାର ପ୍ରବାସ ସ୍ଥାନରେ କେହି ରହିବେ ନାହିଁ।
20ଯେପରି ପୂର୍ବବର୍ତ୍ତୀ ଲୋକମାନେ ତାହାର ବିନାଶର ଦିନ ଲାଗି ଭୀତ ହୋଇଥିଲେ,
ସେପରି ପଶ୍ଚିମବର୍ତ୍ତୀ ଲୋକମାନେ ଚମତ୍କୃତ ହେବେ।
21ନିଶ୍ଚୟ ଅଧାର୍ମିକର ବସତି ଏହିପରି
ଓ ପରମେଶ୍ୱରଙ୍କୁ ନ ଜାଣିବା ଲୋକର ସ୍ଥାନ ଏହି।”