1କୋମଳ ଉତ୍ତର କ୍ରୋଧକୁ ଦମନ କରେ;
ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ।
2ଜ୍ଞାନୀମାନଙ୍କ ଜିହ୍ୱା ପ୍ରକୃତ ରୂପେ ଜ୍ଞାନ ବ୍ୟକ୍ତ କରେ;
ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଉଦ୍ଗାର କରେ।
3ସଦାପ୍ରଭୁଙ୍କ ଚକ୍ଷୁ ସବୁଠାରେ ଥାଇ ଅଧମ
ଓ ଉତ୍ତମ ଲୋକଙ୍କୁ ନିରୀକ୍ଷଣ କରେ।
4ଶାନ୍ତ ଜିହ୍ୱା ଜୀବନ-ବୃକ୍ଷ ସ୍ୱରୂପ;
ପୁଣି, କୁଟିଳ ଜିହ୍ୱା ଆତ୍ମା ଭଙ୍ଗ କରେ।
5ଅଜ୍ଞାନ ଆପଣା ପିତାର ଶାସନ ହେଳା କରେ;
ପୁଣି, ଅନୁଯୋଗ ଯେ ଘେନେ, ସେ ବୁଦ୍ଧି ପ୍ରାପ୍ତ ହୁଏ।
6ଧାର୍ମିକର ଗୃହରେ ବହୁ ସମ୍ପତ୍ତି ଥାଏ;
ପୁଣି, ଦୁଷ୍ଟର ଆୟରେ କ୍ଳେଶ ଥାଏ।
7ଜ୍ଞାନବାନ‍ର ଓଷ୍ଠାଧର ବିଦ୍ୟା ବିତରଣ କରେ;
ମାତ୍ର ମୂର୍ଖର ମନ ସେପରି କରେ ନାହିଁ।
8ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠାରେ ଘୃଣାର ବିଷୟ ଅଟେ;
ମାତ୍ର ସରଳ ଲୋକଙ୍କର ପ୍ରାର୍ଥନା ତାହାଙ୍କର ତୁଷ୍ଟିକର।
9ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣାର ବିଷୟ;
ମାତ୍ର ଧାର୍ମିକତାର ଅନୁଗାମୀକୁ ସେ ପ୍ରେମ କରନ୍ତି।
10ବିପଥଗାମୀ ପ୍ରତି ଦୁଃଖଦାୟକ ଶାସ୍ତି ଘଟେ;
ପୁଣି, ଯେଉଁ ଲୋକ ଅନୁଯୋଗ ଘୃଣା କରେ, ସେ ମରିବ।
11ପାତାଳ ଓ ବିନାଶ ସ୍ଥାନ ସଦାପ୍ରଭୁଙ୍କ ଅଗ୍ରବର୍ତ୍ତୀ ଥାଏ;
ତେବେ ମନୁଷ୍ୟ-ସନ୍ତାନଗଣର ଅନ୍ତଃକରଣ କି ତତୋଧିକ ନୁହେଁ?
12ନିନ୍ଦକ ଅନୁଯୋଗ ପାଇବାକୁ ଭଲ ପାଏ ନାହିଁ,
ସେ ଜ୍ଞାନୀର ନିକଟକୁ ଯାଏ ନାହିଁ।
13ଆନନ୍ଦିତ ମନ ମୁଖକୁ ପ୍ରଫୁଲ୍ଲ କରେ;
ପୁଣି, ମନର ଶୋକରେ ଆତ୍ମା ଭଗ୍ନ ହୁଏ।
14ବୁଦ୍ଧିମାନର ମନ ଜ୍ଞାନ ଖୋଜେ;
ମାତ୍ର ମୂର୍ଖମାନଙ୍କ ମୁଖ ଅଜ୍ଞାନତା ଆହାର କରେ।
15ଦୁଃଖୀ ଲୋକର ସବୁ ଦିନ ଅମଙ୍ଗଳ;
ମାତ୍ର ଯେ ହୃଷ୍ଟଚିତ୍ତ, ତାହାର ନିତ୍ୟ ଭୋଜ।
16ଅଶାନ୍ତିଯୁକ୍ତ ବହୁ ସମ୍ପତ୍ତି ଅପେକ୍ଷା
ସଦାପ୍ରଭୁଙ୍କ ଭୟଯୁକ୍ତ ଅଳ୍ପତା ଭଲ।
17ହିଂସା ସହିତ ହୃଷ୍ଟପୁଷ୍ଟ ଗୋମାଂସ ଭୋଜ ଅପେକ୍ଷା
ପ୍ରେମ ଥିବା ସ୍ଥାନରେ ଶାକାନ୍ନ ଭଲ।
18କ୍ରୋଧୀ ଲୋକ କଳି ଜନ୍ମାଏ;
ପୁଣି, କୋପ କରିବାକୁ ଧୀର ଲୋକ ବିବାଦ କ୍ଷାନ୍ତ କରେ।
19ଅଳସର ବାଟ କଣ୍ଟାବାଡ଼ ପରି,
ମାତ୍ର ସରଳାଚାରୀର ପଥ ରାଜଦାଣ୍ଡ ତୁଲ୍ୟ କରାଯାଏ।
20ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ;
ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ।
21ନିର୍ବୋଧ ପ୍ରତି ଅଜ୍ଞାନତା ଆନନ୍ଦଜନକ;
ମାତ୍ର ବୁଦ୍ଧିମାନ ଲୋକ ଆପଣା ଗତି ସରଳ କରେ।
22ମନ୍ତ୍ରଣା ଅଭାବରେ ସଂକଳ୍ପ ବିଫଳ ହୁଏ;
ମାତ୍ର ବହୁତ ମନ୍ତ୍ରୀ ଦ୍ୱାରା ତାହା ସ୍ଥିରୀକୃତ ହୁଏ।
23ଆପଣା ମୁଖର ଉତ୍ତରରେ ମନୁଷ୍ୟର ଆନନ୍ଦ ହୁଏ,
ପୁଣି ଯଥାକାଳର କଥା କିପରି ଉତ୍ତମ!
24ନୀଚସ୍ଥିତ ପାତାଳକୁ ତ୍ୟାଗ କରିବା ପାଇଁ
ବୁଦ୍ଧିମାନ ଲୋକ ନିମନ୍ତେ ଜୀବନର ପଥ ଊର୍ଦ୍ଧ୍ୱଗାମୀ।
25ଗର୍ବୀ ଲୋକର ଗୃହ ସଦାପ୍ରଭୁ ଉପାଡ଼ି ପକାଇବେ;
ମାତ୍ର ବିଧବାର ସୀମା ସେ ସ୍ଥିର କରିବେ;
26କୁସଂକଳ୍ପ ସଦାପ୍ରଭୁଙ୍କ ନିକଟରେ ଘୃଣାର ବିଷୟ;
ମାତ୍ର ମନୋହର କଥା ଶୁଚି।
27ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ,
ମାତ୍ର ଯେଉଁ ଲୋକ ଲାଞ୍ଚ ଘୃଣା କରେ, ସେ ବଞ୍ଚିବ।
28ଧାର୍ମିକର ମନ ବିବେଚନା କରି ଉତ୍ତର ଦିଏ;
ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦ କଥା ଢାଳି ପକାଏ।
29ସଦାପ୍ରଭୁ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଆନ୍ତି;
ପୁଣି, ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି।
30ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ;
ପୁଣି, ଉତ୍ତମ ସମାଚାର ହାଡ଼ର ପୁଷ୍ଟି କରେ।
31ଯେଉଁ କର୍ଣ୍ଣ ଜୀବନଦାୟକ ଅନୁଯୋଗ ଶୁଣେ,
ତାହା ଜ୍ଞାନୀମାନଙ୍କ ମଧ୍ୟରେ ବାସ କରେ।
32ଯେଉଁ ଲୋକ ଶାସନ ଅଗ୍ରାହ୍ୟ କରେ, ସେ ଆପଣା ପ୍ରାଣକୁ ତୁଚ୍ଛ କରେ;
ମାତ୍ର ଅନୁଯୋଗ ଯେ ଶୁଣେ, ସେ ବୁଦ୍ଧି ପାଏ।
33ସଦାପ୍ରଭୁ ବିଷୟକ ଭୟ ଜ୍ଞାନଜନକ ଉପଦେଶ;
ପୁଣି, ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ।

Notes


*15:30 ହାଡ଼ର ଶରୀରକୁ