ସିସ୍ମନର୍ ପାଇ ଜିସୁର୍ ପାର୍ତନା
୧ଜିସୁ ଏ ସବୁ କାତା କଇସାରାଇଲା ପଚେ, ସରଗ୍ ବାଟେ ଦେକି କଇଲା, “ଏ ସରଗର୍ ବାବା, ଏବେ ବେଲା କେଟ୍ଲା ଆଚେ । ତମର୍ ପିଲା ମକେ ଡାକ୍ପୁଟା କରା । ଜେନ୍ତିକି ତମର୍ ପିଲା ମୁଇ ତମ୍କେ ଡାକ୍ପୁଟା କର୍ବି । ୨ତମେ ମକେ ସବୁ ମୁନୁସ୍ ଜାତି ଉପ୍ରେ ଅଦିକାର୍ ଦେଇଆଚାସ୍ । ଆରି ଜନ୍ଲକ୍ମନ୍କେ ମକେ ସର୍ପି ଦେଇଆଚାସ୍, ସେମନ୍କେ ମୁଇ ନ ସାର୍ବା ଜିବନ୍ ଦେବି । ୩ତମେସେ ଗଟେକ୍ ପର୍ମେସର୍, ତମ୍କେ ଆରି ତମେ ପାଟାଇରଇବା ଜିସୁ କିରିସ୍ଟକେ ଜାନ୍ବାଟା ଅଇଲାନି ନ ସାର୍ବା ଜିବନ୍ । ୪ତମେ ମକେ ଜନ୍ କାମ୍ମନ୍ କର୍ବାକେ ଦେଇଆଚାସ୍, ସେଟା ମୁଇ ସାରାଇ କରି, ଏ ଦୁନିଆଇ ତମ୍କେ ଡାକ୍ପୁଟା କରିଆଚି । ୫ଏ ବାବା, ଏ ଦୁନିଆ ତିଆର୍ ନ ଅଇତେ, ତମର୍ ସଙ୍ଗ୍ ରଇଲାବେଲେ, ମର୍ ଜନ୍ ଡାକ୍ପୁଟା ରଇଲା, ଏବେ ତମେ ରଇତେ ଆକା, ମକେ ଡାକ୍ପୁଟା କର୍ ।
୬“ଏ ଜଗତର୍ ଜନ୍ ଲକ୍ମନ୍କେ ତମେ ମକେ ସର୍ପି ଦେଇରଇଲାସ୍, ସେମନର୍ ଲଗେ ମୁଇ ତମ୍କେ ଜାନାଇଆଚି । ସେମନ୍ ତମର୍ ଅଇରଇଲାଇ, ଆରି ମକେ ସେମନ୍କେ ସର୍ପିଦେଲୁସ୍ । ସେମନ୍ ତମର୍ ବାକିଅ ମାନ୍ଲାଇନି । ୭ତମେ ମକେ ଜନ୍ ଜନ୍ଟା ସର୍ପି ଦେଇ ଆଚାସ୍, ସେଟାମନ୍ ସବୁ ତର୍ଟାନେଅନି ଆକା ଅଇଲାଆଚେ, ବଲି ଏବେ ସେମନ୍ ବୁଜିଆଚତ୍ । ୮ତମେ ମକେ ଦେଇରଇବା କବର୍ ମୁଇ ସେମନ୍କେ ସୁନାଇଆଚି, ସେମନ୍ ସେଟା ମାନି ଆଚତ୍ । ମୁଇ ତମର୍ଟାନେଅନି ଆସିଆଚି ଆରି ତମେ ମକେ ପାଟାଇଆଚାସ୍, ସେମନ୍ ଏ କାତା ସତ୍ ବଲି ଜାନିକରି ବିସ୍ବାସ୍ କଲାଇ ଆଚତ୍ ।”
୯ମୁଇ ସେମନର୍ଲାଗି ପାର୍ତନା କଲିନି, ଦୁନିଆର୍ ଲକ୍ମନର୍ ପାଇ ପାର୍ତନା କରିନାଇ । ମାତର୍ ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ସେ ଲକ୍ମନର୍ ପାଇ ପାର୍ତନା କଲିନି । କାଇକେ ବଇଲେ ସେମନ୍ ତମର୍ ଲକ୍ମନ୍ । ୧୦ଜେତ୍କି ମର୍ଟା, ସେ ସବୁ ତମର୍ଟା । ଆରି ଜେତ୍କି ତମର୍ଟା ସେ ସବୁ ମର୍ଟା । ଆକର୍ଲାଗି ଆକା ମର୍ ଡାକ୍ପୁଟା ଅଇଆଚେ । ୧୧ଏବେ ମୁଇ ତମର୍ ଲଗେ ଆଇଲିନି, ମୁଇ ଏ ଦୁନିଆଇ ରଇନାଇ । ମାତର୍ ଏମନ୍ ରଇଲାଇନି । ସୁକଲ୍ ରଇବା ବାବା ! ତମେ ଜନ୍ ଲକ୍ମନ୍କେ ମକେ ସର୍ପି ଦେଇଆଚୁସ୍, ତମେ ଦେଇରଇବା ନାଉଁର୍ ବପୁର୍ ଲାଗି ସେମନ୍କେ ରକିଆ କରା । ଜେନ୍ତାରି ତମେ ଆରି ମୁଇ ଗଟେକ୍ । ସେନ୍ତାରିସେ ସେମନ୍ ଗଟେକ୍ ଅଇରଇବାକେ ସାଇଜ କରା । ୧୨ ମୁଇ ସେମନର୍ ସଙ୍ଗ୍ ରଇଲା ବେଲେ ତମର୍ ନାଉଁର୍ ବପୁସଙ୍ଗ୍ ସେମନ୍କେ ରକିଆ କରିରଇଲି । ଜେନ୍ତି କି ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ଟାନେ ଅନି ବିନେ ଅଇ ନସ୍ଟ ନ ଅଅତ୍ । ଗଟେକ୍ ଲକ୍କେ ଚାଡି ସବୁଲକ୍କେ ରକିଆ କରିଆଚି । ସେ ଗଟେକ୍ ଲକ୍ ନସ୍ଟ ଅଇସି ଆକା । ଜେନ୍ତିକି ଦରମ୍ ସାସ୍ତରେ ଲେକା ଅଇଲାଟା ସିଦ୍ ଅଇବାର୍ ରଇଲା । ୧୩ଏବେ ମୁଇ ତମର୍ ଲଗେ ଆଇଲିନି । ଏ ଦୁନିଆଇ ରଇଲା ବେଲେ ସେମନ୍କେ, ସେମନର୍ ମନେ ରଇବା ମର୍ ସାର୍ଦା ପୁରାପୁରୁନ୍ ଅଇବାକେ, ଏ ବିସଇ କଇରଇଲି । ୧୪ମୁଇ ସେମନ୍କେ ତମର୍ ବାକିଅ ସୁନାଇଆଚି । ତେବର୍ପାଇ ଏ ଦୁନିଆ ସେମନ୍କେ ଗିନ୍ କଲାନି । କାଇକେ ବଇଲେ ମୁଇ ଜେନ୍ତି ଏ ଦୁନିଆଇ ଅନି ଜାତ୍ ଅଇଲାଟା ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ । ୧୫ତମେ ସେମନ୍କେ ଏ ଦୁନିଆଇଅନି ଦାରିଜା ବଲି ମୁଇ ପାର୍ତନା କରିନାଇ । ମାତର୍ ସଇତାନର୍ ପାନ୍ଦେ ଅନି ରକିଆ କରା ବଲି ଗୁଆରି କଲିନି । ୧୬ମୁଇ ଜେନ୍ତିକି ଏ ଦୁନିଆର୍ ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ । ୧୭ତମର୍ ସତ୍ସଙ୍ଗ୍ ସେମନ୍କେ ସୁକଲ୍ କରା, ତମର୍ ବାକିଅ ତା ସତ୍ । ୧୮ତମେ ମକେ ଜେନ୍ତି ଏ ଦୁନିଆଇ ପାଟାଇ ଆଚାସ୍, ସେନ୍ତାରି ମୁଇ ମିସା ସେମନ୍କେ ଏ ଦୁନିଆଇ ପାଟାଇଲିନି । ୧୯ଜେନ୍ତିକି ସେମନ୍ ତମର୍ଟାନେ ସର୍ପି ଅଇବାଇ । ସେଟାର୍ପାଇ ମୁଇ ନିଜ୍କେ ତମର୍ତେଇ ସୁକଲ୍ ଅଇଲିନି ।
୨୦“ମୁଇ ଅବ୍କା ଏ ସିସ୍ମନର୍ ଲାଗିସେ ପାର୍ତନା କରିନାଇ, ମାତର୍ ଏ ଲକ୍ମନ୍ ଜାନାଇବା କାତାଇଅନି ଜନ୍ ଲକ୍ମନ୍ ମକେ ବିସ୍ବାସ୍ କର୍ବାଇ, ସେ ଲକ୍ମନର୍ ପାଇ ମିସା ପାର୍ତନା କଲିନି । ୨୧ଏ ବାବା ତମେ ଜେନ୍ତାରି ମର୍ଟାନେ ମିସି ଗଟେକ୍ ଅଇଆଚାସ୍, ଆରି ମୁଇ ତମର୍ଟାନେ ମିସିକରି ଗଟେକ୍ ଅଇଆଚି । ସେନ୍ତାରିସେ ସେମନ୍ ମିସା ସେମନର୍ ବିତ୍ରେ ମିସିକରି ଗଟେକ୍ ଅଇ ରଇବାକେ ମୁଇ ପାର୍ତନା କଲିନି । ଜେନ୍ତିକି ତମେସେ ମକେ ପାଟାଇ ଆଚାସ୍ ବଲି ଏ ଦୁନିଆ ବିସ୍ବାସ୍ କର । ୨୨ଜେନ୍ତି ତମର୍ ଡାକ୍ପୁଟା ମକେ ଦେଇଆଚାସ୍, ସେନ୍ତି ସେଟା ମୁଇ ସେମନ୍କେ ଦେଇଆଚି । ତେବେ ଆମେ ଗଟେକ୍ ଅଇରଇଲାପାରା, ସେମନ୍ମିସା ସେମନର୍ ବିତ୍ରେ ଗଟେକ୍ ଅଇରଇବାଇ । ୨୩ତମେ ଜେନ୍ତି ମର୍ଟାନେ ଆଚାସ୍, ସେନ୍ତି ମୁଇ ମିସା ତାକର୍ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍ ପୁରାପୁରୁନ୍ ଗଟେକ୍ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍ସି ଜେ, ତମେ ମକେ ପାଟାଇ ଆଚାସ୍, ଆରି ମକେ ଜେନ୍ତି ଆଲାଦ୍ କଲାସ୍ନି, ସେମନ୍କେ ମିସା ସେନ୍ତିସେ ଆଲାଦ୍ କଲାସ୍ନି ।”
୨୪ଏ ବାବା, ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ମୁଇ ଜନ୍ ଜାଗାଇ ରଇବି, ସେମନ୍ ମିସା ମର୍ ସଙ୍ଗ୍ ରଅତ୍ ବଲି ମନ୍ କଲିନି । ତେବେ ମକେ ଦେଇରଇବା ଡାକ୍ପୁଟା ସେମନ୍ ଦେକ୍ବାଇ । କାଇକେ ବଇଲେ ତମେ ଏ ଦୁନିଆ ତିଆର୍ କର୍ବା ଆଗ୍ତୁସେ ମକେ ଆଲାଦ୍ କରିଆଚାସ୍ । ୨୫ଏ ଦରମର୍ ବାବା, ଏ ଦୁନିଆ ତମ୍କେ ନାଜାନେ, ମାତର୍ ମୁଇ ତମ୍କେ ଜାନିଆଚି । ଆରି ତମେସେ ମକେ ପାଟାଇଆଚାସ୍ ବଲି ସିସ୍ମନ୍ ଜାନିଆଚତ୍ । ୨୬ମୁଇ ସେମନ୍କେ ତମର୍ ବିସଇ ଜାନାଇ ଆଚି, ଆରି ସବୁ ବେଲେ ଜାନାଇତେରଇବି । ତେବେ ମର୍ଲାଗି ସେମନ୍ ତମର୍ ଆଲାଦ୍ ଏତାଇବାଇ ଆରି ମୁଇ ସେମନର୍ ମନ୍ ବିତ୍ରେ ରଇବି ।