୩
ସାର୍ଦ୍ଦୀ ମଣ୍ଡଳୀ ପ୍ରତି ବାର୍ତ୍ତା
୧ ସାର୍ଦ୍ଦୀ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ । ୨ ଜାଗ୍ରତ ହୁଅ, ପୁଣି, ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଅବଶିଷ୍ଟ ବିଷୟସବୁକୁ ସବଳ କର; କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ୱରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ । ୩ ଏଣୁ କିପ୍ରକାରେ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ, ତାହା ସ୍ମରଣ କରି ପାଳନ କର ଓ ମନପରିବର୍ତ୍ତନ କର; ଯଦି ଜାଗ୍ରତ ନ ହୁଅ, ତାହାହେଲେ ଆମ୍ଭେ ଚୋର ପରି ଆସିବୁ, ଆଉ କେଉଁ ସମୟରେ ତୁମ୍ଭ ଉପରେ ଆସି ପଡ଼ିବୁ, ତାହା ତୁମ୍ଭେ କୌଣସି ପ୍ରକାରେ ଜାଣିବ ନାହିଁ; ୪ ତଥାପି ଯେଉଁମାନେ ଦଳରେ କେତେକ ଲୋକମାନେ ଆପଣା ଆପଣା ବସ୍ତ୍ର ମଳିନ କରି ନାହାଁନ୍ତି, ତୁମ୍ଭମାନଙ୍କ ମଧ୍ୟରେ ସାର୍ଦ୍ଦୀରେ ଏପରି କେତେକ ଅଛନ୍ତି; ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନାଗମନ କରିବେ, କାରଣ ସେମାନେ ଯୋଗ୍ୟ । ୫ ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ । ୬ ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।
ଫିଲାଦେଲ୍ଫିଆ ମଣ୍ଡଳୀ ପ୍ରତି ବାର୍ତ୍ତା
୭ ଫିଲାଦେଲ୍ଫିଆ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ପବିତ୍ର ଓ ସତ୍ୟ, ଯାହାଙ୍କ ହସ୍ତରେ ଦାଉଦଙ୍କର ଚାବି ଅଛି, ଯେ ଫିଟାଇଲେ କେହି ବନ୍ଦ କରି ନ ପାରେ, ଆଉ ବନ୍ଦ କଲେ କେହି ଫିଟାଇ ନ ପାରେ, ୮ ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କାର୍ଯ୍ୟ ଜାଣୁ; ଦେଖ, ଆମ୍ଭେ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଫିଟାଇଅଛୁ, କେହି ତାହା ବନ୍ଦ କରି ପାରେ ନାହିଁ, କାରଣ ତୁମ୍ଭର ଶକ୍ତି ସାମାନ୍ୟ, ତଥାପି ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରି ଆମ୍ଭର ନାମ ଅସ୍ୱୀକାର କରି ନାହଁ । ୯ ଦେଖ, ଯେଉଁମାନେ ଯିହୂଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୂଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ । ୧୦ ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏ ହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ । ୧୧ ଆମ୍ଭେ ଶୀଘ୍ର ଆସୁଅଛୁ; ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥି ନିମନ୍ତେ ତୁମ୍ଭର ଯାହା ଅଛି, ତାହା ଦୃଢ଼ରୂପେ ଧରି ରଖ । ୧୨ ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ୱରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆମ୍ଭର ଈଶ୍ୱରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ୱରଙ୍କ ସେହି ନଗରୀର ନାମ ପୁଣି, ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ । ୧୩ ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।
ଲାଅଦିକୀଆ ମଣ୍ଡଳୀ ପ୍ରତି ବାର୍ତ୍ତା
୧୪ ଲାଅଦିକୀଆ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ୱରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି, ୧୫ ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ଣ ହିଁ ନୁହଁ; ତୁମ୍ଭେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା । ୧୬ ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ । ୧୭ ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ; ୧୮ ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲଗାଇବା ପାଇଁ କଜ୍ୱଳ ଆମ୍ଭ ନିକଟରୁ କିଣ । ୧୯ ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍ଯୋଗୀ ହୋଇ ମନପରିବର୍ତ୍ତନ କର । ୨୦ ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ । ୨୧ ମୁଁ ଯେପରି ଜୟ କରି ମୋର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋର ସିଂହାସନରେ ବସିବାକୁ ଦେବି । ୨୨ ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।