୩୧
ସଦାପ୍ରଭୁଙ୍କଠାରେ ନିର୍ଭରଶୀଳତାର ନିବେଦନ
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
୧ ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଶରଣ ନେଇଅଛି;
ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ;
ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କର।
୨ ମୋ’ ପ୍ରତି ଆପଣା କର୍ଣ୍ଣ ଡେର; ଶୀଘ୍ର ମୋତେ ଉଦ୍ଧାର କର;
ତୁମ୍ଭେ ମୋ’ ପ୍ରତି ଦୃଢ଼ ଶୈଳ,
ମୋହର ପରିତ୍ରାଣାର୍ଥକ ଦୁର୍ଗରୂପ ଗୃହ ହୁଅ।
୩ କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ ଅଟ;
ଏଥିପାଇଁ ନିଜ ନାମ ସକାଶୁ ମୋତେ ପଥ ଦେଖାଇ କଢ଼ାଇ ନିଅ।
୪ ସେମାନେ ଗୋପନରେ ମୋ’ ପାଇଁ ଯେଉଁ ଜାଲ ପାତିଅଛନ୍ତି, ତହିଁରୁ ମୋତେ ଉଦ୍ଧାର କର;
କାରଣ ତୁମ୍ଭେ ମୋହର ଦୃଢ଼ ଦୁର୍ଗ।
୫ ମୁଁ ତୁମ୍ଭ ହସ୍ତରେ ଆପଣା ଆତ୍ମା ସମର୍ପଣ କରେ;
ହେ ସଦାପ୍ରଭୁ, ସତ୍ୟମୟ ପରମେଶ୍ୱର, ତୁମ୍ଭେ ମୋତେ ମୁକ୍ତ କରିଅଛ।
୬ ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ;
ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ।
୭ ମୁଁ ତୁମ୍ଭ ଦୟାରେ ଆନନ୍ଦ ଓ ଉଲ୍ଲାସ କରିବି;
କାରଣ ତୁମ୍ଭେ ମୋହର କ୍ଳେଶ ଦେଖିଅଛ;
ତୁମ୍ଭେ ଦୁର୍ଦ୍ଦଶା ସମୟରେ ମୋ’ ପ୍ରାଣର ତତ୍ତ୍ୱ ନେଇଅଛ।
୮ ପୁଣି, ଶତ୍ରୁ ହସ୍ତରେ ତୁମ୍ଭେ ମୋତେ ବନ୍ଦ କରି ନାହଁ;
ତୁମ୍ଭେ ପ୍ରଶସ୍ତ ସ୍ଥାନରେ ମୋର ଚରଣ ସ୍ଥାପନ କରିଅଛ।
୯ ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର, କାରଣ ମୁଁ ବିପଦଗ୍ରସ୍ତ;
ଦୁଃଖରେ ମୋହର ଚକ୍ଷୁ, ମୋହର ପ୍ରାଣ ଓ ମୋହର ଶରୀର କ୍ଷୀଣ ହେଉଅଛି।
୧୦ କାରଣ ଦୁଃଖରେ ମୋହର ଜୀବନ ଓ ହାହାକାରରେ
ମୋହର ବର୍ଷ ବହି ଯାଉଅଛି;
ମୋ’ ଅପରାଧ* ଅପରାଧ କିମ୍ବା ଦୁଖଃ ସକାଶୁ ମୋର ବଳ କ୍ଷୀଣ ହେଉଅଛି ଓ
ମୋର ଅସ୍ଥିସବୁ କ୍ଷୟ ପାଉଅଛି।
୧୧ ମୁଁ ଆପଣା ସମସ୍ତ ବିପକ୍ଷଙ୍କ ସକାଶୁ ଆପଣା
ପ୍ରତିବାସୀମାନଙ୍କର ଅତ୍ୟନ୍ତ ନିନ୍ଦାସ୍ପଦ ଓ
ଆପଣା ପରିଚିତମାନଙ୍କର ଭୟସ୍ଥଳ ହୋଇଅଛି,
ମୋତେ ବାହାରେ ଦେଖିଲା ଲୋକମାନେ ମୋ’ ନିକଟରୁ ପଳାଇଲେ।
୧୨ ମୁଁ ମୃତ ଲୋକ ତୁଲ୍ୟ ମନରୁ ବିସ୍ମୃତ ହୋଇଅଛି;
ମୁଁ ଭଗ୍ନ ପାତ୍ର ସଦୃଶ।
୧୩ କାରଣ ମୁଁ ଅନେକଙ୍କଠାରୁ ନିନ୍ଦାବାଦ ଶୁଣିଅଛି,
ଚତୁର୍ଦ୍ଦିଗରେ ଆଶଙ୍କା;
ସେମାନେ ମୋ’ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲା ବେଳେ
ମୋ’ ପ୍ରାଣ ନେବା ପାଇଁ ସଂକଳ୍ପ କଲେ।
୧୪ ମାତ୍ର ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଶରଣ ନିଏ;
ମୁଁ କହେ, “ତୁମ୍ଭେ ମୋହର ପରମେଶ୍ୱର।”
୧୫ ମୋହର ସମୟ ସବୁ ତୁମ୍ଭର ହସ୍ତଗତ;
ମୋ’ ଶତ୍ରୁଗଣ ହସ୍ତରୁ ଓ ମୋ’ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର।
୧୬ ଆପଣା ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର;
ଆପଣା ସ୍ନେହପୂର୍ଣ୍ଣ କରୁଣାରେ ମୋତେ ପରିତ୍ରାଣ କର।
୧୭ ହେ ସଦାପ୍ରଭୁ, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ଡାକ ପକାଇଅଛି;
ଦୁଷ୍ଟମାନେ ଲଜ୍ଜିତ ହେଉନ୍ତୁ, ସେମାନେ ପାତାଳରେ ନୀରବ ହେଉନ୍ତୁ।
୧୮ ମିଥ୍ୟାବାଦୀ ଓଷ୍ଠାଧରସବୁ ମୂକ ହେଉ,
ସେମାନେ ଅହଙ୍କାର ଓ ତୁଚ୍ଛ ଭାବରେ
ଧାର୍ମିକମାନଙ୍କ ପ୍ରତିକୂଳରେ ଦର୍ପ କଥା କହନ୍ତି।
୧୯ ଆଃ, ତୁମ୍ଭେ ଆପଣା ଭୟକାରୀମାନଙ୍କ ପାଇଁ ଯେଉଁ ମଙ୍ଗଳ ସଞ୍ଚୟ କରିଅଛ,
ମନୁଷ୍ୟ-ସନ୍ତାନଗଣ ସାକ୍ଷାତରେ
ଆପଣା ଶରଣାଗତ ଲୋକଙ୍କ ପାଇଁ ଯେଉଁ ମଙ୍ଗଳ ସାଧନ କରିଅଛ,
ତାହା କିପରି ମହତ୍ !
୨୦ ତୁମ୍ଭେ ମନୁଷ୍ୟର ସବୁ କୁମନ୍ତ୍ରଣାରୁ ସେମାନଙ୍କୁ ଆପଣା ଶ୍ରୀଛାମୁର ଅନ୍ତରାଳରେ ଲୁଚାଇବ;
ତୁମ୍ଭେ ଜିହ୍ୱାସମୂହର ବିରୋଧରୁ ସେମାନଙ୍କୁ ଆପଣା ଆବାସରେ ଗୋପନ କରି ରଖିବ।
୨୧ ସଦାପ୍ରଭୁ ଧନ୍ୟ ହେଉନ୍ତୁ;
କାରଣ ସେ ଦୃଢ଼ ନଗରରେ ମୋ’ ପ୍ରତି ଆପଣାର ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରିଅଛନ୍ତି।
୨୨ ମାତ୍ର ମୁଁ ତୁମ୍ଭ ଦୃଷ୍ଟିରୁ ଉଚ୍ଛିନ୍ନ ବୋଲି
ଆପଣା ଅଧୈର୍ଯ୍ୟରେ କହିଥିଲି;
ତଥାପି ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ ତୁମ୍ଭେ ମୋ’ ନିବେଦନର ରବ ଶୁଣିଲ।
୨୩ ହେ ସଦାପ୍ରଭୁଙ୍କ ସଦ୍ଭକ୍ତ ସମସ୍ତେ, ତାହାଙ୍କୁ ପ୍ରେମ କର;
ସଦାପ୍ରଭୁ ବିଶ୍ୱସ୍ତ ଲୋକମାନଙ୍କୁ ରକ୍ଷା କରନ୍ତି
ଓ ଗର୍ବାଚାରୀମାନଙ୍କୁ ବହୁଳ ରୂପେ ପ୍ରତିଫଳ ଦିଅନ୍ତି।
୨୪ ହେ ସଦାପ୍ରଭୁଙ୍କଠାରେ ଭରସାକାରୀ ସମସ୍ତେ,
ତୁମ୍ଭେମାନେ ବଳବାନ ହୁଅ ଓ ତୁମ୍ଭମାନଙ୍କ ଅନ୍ତଃକରଣ ସାହସିକ ହେଉ।