୨୬
ଯୀଶୁଙ୍କ ବିରୁଦ୍ଧରେ ଚକ୍ରାନ୍ତ
(ମାର୍କ 14:1,2; ଲୂକ 22:1,2; ଯୋହନ 11:45-53)
୧ ଯୀଶୁ ଏହି ସମସ୍ତ କଥା ଶେଷ କରି ଆପଣା ଶିଷ୍ୟମାନଙ୍କୁ କହିଲେ, ୨ ଦୁଇ ଦିନ ପରେ ଯେ ନିସ୍ତାର ପର୍ବ ହେବ, ଏହା ତୁମ୍ଭେମାନେ ଜାଣ, ପୁଣି, ମନୁଷ୍ୟପୁତ୍ର କ୍ରୁଶରେ ହତ ହେବା ନିମନ୍ତେ ସମର୍ପିତ ହେବେ । ୩ ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ, ୪ ଆଉ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କଲେ; ୫ କିନ୍ତୁ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ ।
ବେଥନୀୟାରେ ଯୀଶୁଙ୍କ ଅଭିଷେକ
(ମାର୍କ 14:3-9; ଯୋହନ 12:1-8)
୬ ଯୀଶୁ ବେଥନୀୟାରେ କୁଷ୍ଠୀ ଶିମୋନଙ୍କ ଗୃହରେ ଥିବା ସମୟରେ, ୭ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ନେଇ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ । ୮ କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି ? ୯ ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାନ୍ତା । ୧୦ ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, କାହିଁକି ସ୍ତ୍ରୀଲୋକଟିକୁ କଷ୍ଟ ଦେଉଅଛ ? ସେ ତ ମୋ ପ୍ରତି ଉତ୍ତମ କର୍ମ କରିଅଛି । ୧୧ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ପାଖରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ପାଖରେ ନ ଥିବି । ୧୨ ଆଉ, ସେ ମୋର ସମାଧି-କ୍ରିୟାସ୍ୱରୂପେ ମୋହର ଶରୀରରେ ଏହି ତୈଳ ଢାଳିଦେଇଅଛି । ୧୩ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ ।
ଯୀଶୁଙ୍କୁ ଧରାଇ ଦେବା ପାଇଁ ଯିହୂଦାର ସମ୍ମତି
(ମାର୍କ 14:10,11; ଲୂକ 22:3-6)
୧୪ ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଈଷ୍କାରିୟୋଥ ଯିହୂଦା ନାମକ ପ୍ରଧାନ ଯାଜକମାନଙ୍କ ପାଖକୁ ଯାଇ କହିଲା, ୧୫ ମୋତେ କ'ଣ ଦେବେ କୁହନ୍ତୁ, ମୁଁ ତାହାଙ୍କୁ ଧରାଇଦେବି । ସେଥିରେ ସେମାନେ ତାହାକୁ ତିରିଶିଗୋଟି ରୌପ୍ୟମୁଦ୍ରା ତୌଲି କରିଦେଲେ । ୧୬ ଆଉ ସେହି ସମୟଠାରୁ ସେ ତାହାଙ୍କୁ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା ।
ଶିଷ୍ୟଙ୍କ ସହ ଭୋଜ ପାଳନ
(ମାର୍କ 14:12-21; ଲୂକ 22:7-13,21-23; ଯୋହନ 13:21-30)
୧୭ ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି ? ୧୮ ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି । ୧୯ ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ । ୨୦ ପରେ ସନ୍ଧ୍ୟା ହୁଅନ୍ତେ, ସେ ଦ୍ୱାଦଶ ଶିଷ୍ୟମାନଙ୍କ ସହିତ ଭୋଜନରେ ବସିଲେ । ୨୧ ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ । ୨୨ ସେଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୁ, ସେ କ'ଣ ମୁଁ ? ୨୩ ସେ ଉତ୍ତର ଦେଲେ, ଯେ ମୋ ସହିତ ପାତ୍ରରେ ହାତ ବୁଡ଼ାଇଲା, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ । ୨୪ ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ; କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର; ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା । ୨୫ ଏଥିରେ ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କ'ଣ ମୁଁ ? ସେ ତାହାକୁ କହିଲେ, ତୁମ୍ଭେ କହିଅଛ ।
ପ୍ରଭୁଭୋଜ ବିଧି ସ୍ଥାପନ
(ମାର୍କ 14:22-26; ଲୂକ 22:14-20; କରିନ୍ଥୀୟ 11:23-25)
୨୬ ଆଉ, ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ନେଇ ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ, ଭୋଜନ କର, ଏହା ମୋହର ଶରୀର । ୨୭ ପୁଣି, ସେ ପାନପାତ୍ର ନେଇ ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ୨୮ ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ପାଇଁ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ । ୨୯ କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ହେଁ ପାନ କରିବି ନାହିଁ । ୩୦ ପୁଣି, ସେମାନେ ସ୍ତବଗାନ କଲା ପରେ ଜୀତପର୍ବତକୁ ବାହାରିଗଲେ ।
ପିତରଙ୍କ ଅସ୍ୱୀକାରର ପୂର୍ବ ସୂଚନା
(ମାର୍କ 14:27-31; ଲୂକ 22:31-34; ଯୋହନ 13:36-38)
୩୧ ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋଠାରେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ । ୩୨ ମାତ୍ର ମୁଁ ଉଠିବା ପରେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯିବି । ୩୩ କିନ୍ତୁ ପିତର ତାହାଙ୍କୁ ଉତ୍ତର ଦେଲେ, ଯଦ୍ୟପି ସମସ୍ତେ ଆପଣଙ୍କଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେ ହେଁ ପାଇବି ନାହିଁ । ୩୪ ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଏହି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ । ୩୫ ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ । ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ ।
ଗେଥ୍ଶିମାନୀରେ ଯୀଶୁଙ୍କ ପ୍ରାର୍ଥନା
(ମାର୍କ 14:32-42; ଲୂକ 22:39-46)
୩୬ ଏହାପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଗେଥ୍ଶିମାନୀ ନାମକ ଗୋଟିଏ ସ୍ଥାନକୁ ଯାଇ ସେମାନଙ୍କୁ କହିଲେ, ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ । ୩୭ ଆଉ, ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସାଙ୍ଗରେ ନେଇ ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ । ୩୮ ସେତେବେଳେ ସେ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି, ତୁମ୍ଭେମାନେ ଏଠାରେ ରହି ମୋ ସାଙ୍ଗରେ ଜାଗିଥାଅ । ୩୯ ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇପାରେ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା । ୪୦ ଆଉ, ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ତୁମ୍ଭେମାନେ କି ମୋ ସାଙ୍ଗରେ ଅଳ୍ପ ସମୟ ହେଲେ ଜାଗି ପାରିଲ ନାହିଁ ? ୪୧ ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ । ୪୨ ପୁଣି, ଥରେ ସେ ଦ୍ୱିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, ହେ ମୋହର ପିତା, ପାନ ନ କଲେ ଏହି ପାତ୍ର ଯଦି ମୋଠାରୁ ଦୂର ହୋଇ ନ ପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ । ୪୩ ପୁଣି, ସେ ଆସି ପୁଣି, ଥରେ ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କର ଆଖି ମାଡ଼ିପଡ଼ୁଥିଲା । ୪୪ ସେଥିରେ ସେ ସେମାନଙ୍କୁ ପରିତ୍ୟାଗ କରି ପୁଣି, ଥରେ ଯାଇ ଆଉ ଥରେ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ । ୪୫ ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଅଳ୍ପ ସମୟ ଶୋଇ କରି ବିଶ୍ରାମ କର, ଦେଖ, ସେହି ସମୟ ସନ୍ନିକଟ ହେଲାଣି, ପୁଣି, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି । ୪୬ ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ ।
ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ
(ମାର୍କ 14:43-50; ଲୂକ 22:47-53; ଯୋହନ 18:3-12)
୪୭ ସେ କଥା କହୁଥିବା ସମୟରେ, ଦେଖ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗଙ୍କଠାରୁ ପ୍ରେରିତ ବହୁସଂଖ୍ୟକ ଲୋକ ଖଡ଼୍ଗ ଓ ଯଷ୍ଟି ଧରି ଆସିଲେ । ୪୮ ଆଉ, ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି, ତାହାଙ୍କୁ ଧରିବ । ୪୯ ଆଉ, ସେ ସେହିକ୍ଷଣି ଯୀଶୁଙ୍କ ନିକଟକୁ ଆସି, ହେ ଗୁରୁ, ନମସ୍କାର, ଏହା କହି ତାହାଙ୍କୁ ବହୁତ ଚୁମ୍ବନ କଲା । ୫୦ କିନ୍ତୁ ଯୀଶୁ ତାହାକୁ କହିଲେ, ହେ ବନ୍ଧୁ, ଯାହା କରିବା ନିମନ୍ତେ ଆସିଅଛ, ତାହା କର । ସେଥିରେ ସେମାନେ ପାଖକୁ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ । ୫୧ ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ । ୫୨ ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭର ଖଡ଼୍ଗ ପୁଣି, ଥରେ ଆପଣା ସ୍ଥାନରେ ରଖ, କାରଣ ଯେଉଁମାନେ ଖଡ୍ଗ ଧାରଣ କରନ୍ତି, ସେ ସମସ୍ତେ ଖଡ଼୍ଗ ଦ୍ୱାରା ବିନଷ୍ଟ ହେବେ । ୫୩ ଅଥବା ତୁମ୍ଭେ କ'ଣ ମନେ କରୁଅଛ ଯେ, ମୁଁ ମୋହର ପିତାଙ୍କୁ ବିନତି କରି ପାରେ ନାହିଁ ଓ ସେ ଏହିକ୍ଷଣି ମୋ ନିମନ୍ତେ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇଦେବେ ନାହିଁ ? ୫୪ ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କି ପ୍ରକାର ସଫଳ ହେବ ? ୫୫ ସେହି ସମୟରେ ଯୀଶୁ ଲୋକସମୂହକୁ କହିଲେ, ଡକଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ନେଇ ତୁମ୍ଭେମାନେ କ'ଣ ମୋତେ ଧରିବାକୁ ଆସିଲ ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ୫୬ ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏସମସ୍ତ ଘଟିଅଛି। ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ ।
ମହାସଭାରେ ଯୀଶୁଙ୍କ ବିଚାର
(ମାର୍କ 14:53-65; ଲୂକ 22:54,55,63-71; ଯୋହନ 18:13,14,19-24)
୫୭ ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ନେଇଗଲେ; ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ । ୫୮ କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ, ଆଉ ଶେଷରେ କ'ଣ ଘଟିବ, ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାତିକମାନଙ୍କ ସହିତ ବସି ରହିଲେ । ୫୯ ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ଲାଗିଲେ, ୬୦ ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ । ଶେଷରେ ଦୁଇ ଜଣ ବାହାରି କହିଲେ, ୬୧ ଏହି ଲୋକଟା କହିଥିଲା, ମୁଁ ଈଶ୍ୱରଙ୍କ ମନ୍ଦିରକୁ ଭାଙ୍ଗି ତାହା ତିନି ଦିନ ମଧ୍ୟରେ ତୋଳି ଦେଇ ପାରେ । ୬୨ ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କ'ଣ ? ୬୩ କିନ୍ତୁ ଯୀଶୁ ମୌନ ହୋଇ ରହିଲେ । ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ? ୬୪ ଯୀଶୁ ତାହାଙ୍କୁ କହିଲେ, ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ । ୬୫ ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଏ ଈଶ୍ୱର ନିନ୍ଦା କଲା, ସାକ୍ଷୀରେ ଆମ୍ଭମାନଙ୍କର ଆଉ କ'ଣ ଆବଶ୍ୟକ ? ଦେଖନ୍ତୁ, ଆପଣମାନେ ଏବେ ହେଁ ଈଶ୍ୱର ନିନ୍ଦା ଶୁଣିଲେ, ୬୬ ଆପଣମାନଙ୍କର ମତ କ'ଣ ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ । ୬୭ ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ, ୬୮ ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ, କିଏ ତୋତେ ମାଇଲା ?
ପିତରଙ୍କ ଯୀଶୁଙ୍କୁ ଅସ୍ୱୀକାର
(ମାର୍କ 14:66-72; ଲୂକ 22:56-62; ଯୋହନ 18:15-18,25-27)
୬୯ ଇତିମଧ୍ୟରେ ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ, ଆଉ ଜଣେ ଦାସୀ ତାହାଙ୍କ ପାଖକୁ ଆସି କହିଲା, ତୁମ୍ଭେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଙ୍ଗରେ ଥିଲ । ୭୦ କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, ତୁମ୍ଭେ କ'ଣ କହୁଛ, ମୁଁ ଜାଣେ ନାହିଁ । ୭୧ ପୁଣି, ସେ ଦାଣ୍ଡଦ୍ୱାରକୁ ବାହାରି ଯାଆନ୍ତେ ଆଉ ଜଣେ ଦାସୀ ତାହାଙ୍କୁ ଦେଖି ସେହି ସ୍ଥାନର ଲୋକମାନଙ୍କୁ କହିଲା, ଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା । ୭୨ ପୁଣି, ସେ ରାଣ ପକାଇ ଆଉ ଥରେ ଅସ୍ୱୀକାର କରି କହିଲେ, ମୁଁ ସେ ଲୋକକୁ ଜାଣେ ନାହିଁ । ୭୩ ଅଳ୍ପ କ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ତୁମ୍ଭେ ମଧ୍ୟ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭ କଥାରୁ ତ ଜଣାପଡ଼ୁଅଛି । ୭୪ ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ମୁଁ ସେ ଲୋକକୁ ଜାଣେ ନାହିଁ । ୭୫ ସେହିକ୍ଷଣି କୁକୁଡ଼ା ଡାକିଲା । ଏଥିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ, ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ ।