୨୩
ସାଦ୍ଦୂକୀ ଓ ଫାରୂଶୀମାନଙ୍କ ପ୍ରତି ସାତୋଟି ସନ୍ତାପ
(ମାର୍କ 12:38,39; ଲୂକ 11:43,46; 20:45,46)
୧ ସେହି ସମୟରେ ଯୀଶୁ ଲୋକସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ, ୨ ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ଆସନରେ ବସିଅଛନ୍ତି । ୩ ଅତଏବ ସେମାନେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା ମାନ ଓ ପାଳନ କର, ମାତ୍ର ସେମାନଙ୍କ କର୍ମ ଅନୁସାରେ କର୍ମ କର ନାହିଁ, କାରଣ ସେମାନେ କହନ୍ତି, କିନ୍ତୁ କରନ୍ତି ନାହିଁ । ୪ ସେମାନେ ଗୁରୁ ଭାର ବହନ କରି ମନୁଷ୍ୟମାନଙ୍କ କାନ୍ଧରେ ଥୋଇଦିଅନ୍ତି, କିନ୍ତୁ ନିଜେ ଅଙ୍ଗୁଳି ଦେଇ ତାହା ଟେକିବାକୁ ଇଚ୍ଛା କରନ୍ତି ନାହିଁ । ୫ ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି, ୬ ଆଉ ଭୋଜନରେ ପ୍ରଧାନ ସ୍ଥାନ ଓ ସମାଜଗୃହରେ ପ୍ରଧାନ ଆସନ, ୭ ପୁଣି, ହାଟବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି । ୮ କିନ୍ତୁ ତୁମ୍ଭେମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ଗୁରୁ ଜଣେ, ପୁଣି, ତୁମ୍ଭେମାନେ ସମସ୍ତେ ଭାଇ । ୯ ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ଡାକ ନାହିଁ, କାରଣ ତୁମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି । ୧୦ ଆଉ ତୁମ୍ଭେମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ନେତା ଜଣେ, ସେ ଖ୍ରୀଷ୍ଟ । ୧୧ କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ, ସେ ତୁମ୍ଭମାନଙ୍କର ସେବକ ହେବ । ୧୨ ଆଉ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ କେହି ଆପଣକୁ ନତ କରେ ତାହାକୁ ଉନ୍ନତ କରାଯିବ ।
ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ ଭର୍ତ୍ସନା
(ମାର୍କ 12:40; ଲୂକ 11:39-42,44,52; 20:47)
୧୩ କିନ୍ତୁ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗରାଜ୍ୟ ବନ୍ଦ କରୁଥାଅ; ତୁମ୍ଭେମାନେ ତ ନିଜେ ପ୍ରବେଶ କରୁ ନାହଁ, ପୁଣି, ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉ ନାହଁ । ୧୪ [ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ବିଧବାମାନଙ୍କର ଗୃହସବୁ ଗ୍ରାସ କରୁଥାଅ; ଏଣୁ ତୁମ୍ଭେମାନେ ଗୁରୁତର ଦଣ୍ଡ ପାଇବ ।] ୧୫ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି, ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇ ଗୁଣ ନର୍କର ପାତ୍ର କରୁଥାଅ । ୧୬ ହାୟ, ଦଣ୍ଡର ପାତ୍ର ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ କହୁଥାଅ, କେହି ମନ୍ଦିରର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ମନ୍ଦିରସ୍ଥ ସ୍ୱର୍ଣ୍ଣର ଶପଥ କରେ, ସେ ତଦ୍ୱାରା ବନ୍ଧା । ୧୭ ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କ'ଣ ଶ୍ରେଷ୍ଠ ? ୧୮ ଆହୁରି କହୁଥାଅ, କେହି ବେଦିର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ତାହା ଉପରେ ଥିବା ନୈବେଦ୍ୟର ଶପଥ କରେ, ସେ ତଦ୍ୱାରା ବନ୍ଧା । ୧୯ ରେ ଅନ୍ଧମାନେ, ନୈବେଦ୍ୟ କିମ୍ବା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ବେଦି, ଏହି ଦୁଇ ମଧ୍ୟରେ କେଉଁଟି ଶ୍ରେଷ୍ଠ ? ୨୦ ଅତଏବ ଯେଉଁ ଲୋକ ବେଦିର ଶପଥ କରେ, ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ; ୨୧ ଆଉ ଯେ ମନ୍ଦିରର ଶପଥ କରେ, ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ; ୨୨ ପୁଣି, ଯେ ସ୍ୱର୍ଗର ଶପଥ କରେ, ସେ ଈଶ୍ୱରଙ୍କ ସିଂହାସନ ଓ ତଦୁପବିଷ୍ଟଙ୍କର ଶପଥ କରେ । ୨୩ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମୋହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ମୋଶାଙ୍କ ବ୍ୟବସ୍ଥାର ଗୁରୁତର ବିଷୟ ଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ । ୨୪ ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ । ୨୫ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ସଫା କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ । ୨୬ ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ । ୨୭ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଧଳା ରଙ୍ଗର ସମାଧି ସରୂପ । ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ଓ ସର୍ବ ପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ; ୨୮ ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ ।
କପଟୀ ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ ଦଣ୍ଡର ଭବିଷ୍ୟତ ବାଣୀ
(ଲୂକ 11:47-51)
୨୯ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସଜାଇ କହୁଥାଅ, ୩୦ ଆମ୍ଭେମାନେ ଯେବେ ଆମ୍ଭମାନଙ୍କର ପିତୃପୁରୁଷଙ୍କ ସମୟରେ ଥାଆନ୍ତୁ, ତେବେ ଭାବବାଦୀମାନଙ୍କ ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇ ନ ଥାଆନ୍ତୁ । ୩୧ ଏଣୁ ତୁମ୍ଭେମାନେ ଯେ ଭାବବାଦୀଙ୍କ ହତ୍ୟାକାରୀମାନଙ୍କର ସନ୍ତାନ ଅଟ, ସେ ବିଷୟରେ ତୁମ୍ଭେମାନେ ହିଁ ଆପଣା ଆପଣା ବିଷୟରେ ସାକ୍ଷ୍ୟ ଦେଉଅଛ । ୩୨ ତୁମ୍ଭେମାନେ ନିଜ ନିଜ ପିତୃପୁରୁଷଙ୍କର ପରିମାଣ ପୂର୍ଣ୍ଣ କର । ୩୩ ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କିପ୍ରକାରେ ନର୍କ ଦଣ୍ଡରୁ ରକ୍ଷା ପାଇବ ? ୩୪ ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପଠାଉଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହା କାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁନଗର ତାଡ଼ନା କରିବ, ୩୫ ଯେପରି ଧାର୍ମିକ ହେବଲଙ୍କ ରକ୍ତପାତଠାରୁ, ଯେଉଁ ବେରିଖୀୟଙ୍କ ପୁତ୍ର ଯିଖରୀୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ବେଦିର ମଧ୍ୟସ୍ଥଳରେ ବଧ କଲ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହି ସମସ୍ତ ତୁମ୍ଭମାନଙ୍କ ଉପରେ ଘଟିବ । ୩୬ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷ ଉପରେ ଏହି ସମସ୍ତ ଘଟିବ ।
ଯିରୂଶାଲମ ପ୍ରତି ଯୀଶୁଙ୍କର ବିଳାପ
(ଲୂକ 13:34,35)
୩୭ ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତାରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ । ୩୮ ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ିଦିଆଯାଉଅଛି । ୩୯ କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ, ତୁମ୍ଭେମାନେ ଏହି କଥା ନ କହିବା ପର୍ଯ୍ୟନ୍ତ ଆଜିଠାରୁ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ ।