୬୧
ମୁକ୍ତିର ଶୁଭ ସମ୍ବାଦ
୧ ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋ’ଠାରେ ଅଧିଷ୍ଠାନ କରନ୍ତି; କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି; ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର ମୁକ୍ତ ହେବାର କଥା ପ୍ରଚାର କରିବାକୁ; ୨ ସଦାପ୍ରଭୁଙ୍କର ଗ୍ରାହ୍ୟ ବର୍ଷ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧର ଦିନ ଘୋଷଣା କରିବାକୁ; ଶୋକାର୍ତ୍ତ ସମସ୍ତଙ୍କୁ ସାନ୍ତ୍ୱନା କରିବାକୁ; ୩ ସିୟୋନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍‍, ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି; ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ। ୪ ପୁଣି, ସେମାନେ ପୁରାତନ ଧ୍ୱଂସିତ ସ୍ଥାନ ସବୁ ନିର୍ମାଣ କରିବେ, ପୂର୍ବ କାଳର ନଷ୍ଟ ସ୍ଥାନ ସବୁ ଉଠାଇବେ, ଆଉ ସେମାନେ ଧ୍ୱଂସିତ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗରସକଳ ନୂତନ କରିବେ। ୫ ପୁଣି, ଅପରିଚିତ ଲୋକମାନେ ତୁମ୍ଭମାନଙ୍କର ପଲ ଚରାଇବା ପାଇଁ ଠିଆ ହେବେ ଓ ବିଦେଶୀୟମାନେ ତୁମ୍ଭମାନଙ୍କର ଶସ୍ୟକ୍ଷେତ୍ରର ଓ ଦ୍ରାକ୍ଷାକ୍ଷେତ୍ରର କୃଷକ ହେବେ। ୬ ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କର ଯାଜକ ବୋଲି ବିଖ୍ୟାତ ହେବ; ଲୋକମାନେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିଚାରକ ବୋଲି ଡାକିବେ; ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସେମାନଙ୍କ ଐଶ୍ୱର୍ଯ୍ୟରେ ତୁମ୍ଭେମାନେ ଦର୍ପ କରିବ। ୭ ତୁମ୍ଭେମାନେ ଲଜ୍ଜାର ପରିବର୍ତ୍ତେ ଦୁଇ ଗୁଣ ସମ୍ମାନ ପାଇବ; ପୁଣି, ଅପମାନର ପରିବର୍ତ୍ତେ ସେମାନେ ଆପଣା ଆପଣା ଅଧିକାରରେ ଆନନ୍ଦ କରିବେ; ଏନିମନ୍ତେ ସେମାନେ ଆପଣାମାନଙ୍କ ଦେଶରେ ଦୁଇ ଗୁଣ ଅଂଶ ପାଇବେ; ସେମାନଙ୍କର ଅନନ୍ତକାଳସ୍ଥାୟୀ ଆହ୍ଲାଦ ହେବ। ୮ କାରଣ ଆମ୍ଭେ ସଦାପ୍ରଭୁ ନ୍ୟାୟବିଚାର ଭଲ ପାଉ, ଆମ୍ଭେ ଅଧର୍ମଯୁକ୍ତ ଅପହରଣ ଘୃଣା କରୁ; ଆଉ, ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଏକ ନିୟମ କରିବା। ୯ ପୁଣି, ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀସମୂହର ମଧ୍ୟରେ ବିଖ୍ୟାତ ହେବେ; ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ। ୧୦ ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି; ମୋର ପ୍ରାଣ ମୋ’ ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ଆପଣାକୁ ଭୂଷିତ କରେ ଓ କନ୍ୟା ଯେପରି ଆପଣା ରତ୍ନରେ ଆପଣାକୁ ଭୂଷିତା କରେ, ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ବସ୍ତ୍ରାନ୍ୱିତ କରିଅଛନ୍ତି ଓ ଧର୍ମରୂପ ରାଜବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି। ୧୧ କାରଣ ଭୂମି ଯେପରି ଆପଣା ଅଙ୍କୁର ବାହାର କରେ ଓ ଉଦ୍ୟାନ ଯେପରି ଆପଣା ମଧ୍ୟରେ ବୁଣାଯିବା ପଦାର୍ଥସବୁ ଅଙ୍କୁରିତ କରେ, ସେହିପରି ପ୍ରଭୁ ସଦାପ୍ରଭୁ ସମଗ୍ର ଦେଶୀୟମାନଙ୍କ ସାକ୍ଷାତରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।