୧୮
କୂଶଦେଶ ପ୍ରତି ଭାବବାଣୀ
୧ ଆଃ ! କୂଶଦେଶୀୟ ନଦୀଗଣର ସେପାରିସ୍ଥିତ ପକ୍ଷର ଶବ୍ଦବିଶିଷ୍ଟ ଦେଶ; ୨ ସେ ସମୁଦ୍ର ପଥରେ ନଳନିର୍ମିତ ନୌକାରେ ଜଳ ଉପରେ ଦୂତଗଣକୁ ପ୍ରେରଣ କରି କହେ, ହେ ଦ୍ରୁତଗାମୀ ଦୂତଗଣ, ଯେଉଁ ଗୋଷ୍ଠୀୟ ଲୋକେ ଦୀର୍ଘକାୟ ଓ ଚିକ୍କଣ, ଯେଉଁ ଜନବୃନ୍ଦ ଅଦ୍ୟାବଧି ଭୟଙ୍କର; ଯେଉଁ ଗୋଷ୍ଠୀୟ ଲୋକେ ପରିମାଣ କରନ୍ତି ଓ ଦଳିତ କରନ୍ତି, ଯେଉଁମାନଙ୍କ ଦେଶ ନଦନଦୀରେ ବିଭକ୍ତ, ତୁମ୍ଭେମାନେ ସେମାନଙ୍କ ନିକଟକୁ ଯାଅ ! ୩ ହେ ଜଗନ୍ନିବାସୀଗଣ; ହେ ପୃଥିବୀର ନିବାସୀ ସମସ୍ତେ, ପର୍ବତମାନର ଉପରେ ଧ୍ୱଜା ଉତ୍ଥିତ ହେବା ବେଳେ ତୁମ୍ଭେମାନେ ଦୃଷ୍ଟି କର ଓ ତୂରୀ ବାଜିବା ବେଳେ ତୁମ୍ଭେମାନେ ଶ୍ରବଣ କର। ୪ କାରଣ ସଦାପ୍ରଭୁ ଆମ୍ଭକୁ ଏହିପରି କହିଅଛନ୍ତି, “ଖରା ସମୟରେ ନିର୍ମଳ ତାପ ପରି, ଶସ୍ୟଚ୍ଛେଦନକାଳୀନ ତାପ ସମୟରେ ଶିଶିରଯୁକ୍ତ ମେଘ ପରି ଆମ୍ଭେ କ୍ଷାନ୍ତ ହେବା ଓ ଆପଣା ବାସସ୍ଥାନରେ ଥାଇ ନିରୀକ୍ଷଣ କରିବା।” ୫ ଯେହେତୁ ଦ୍ରାକ୍ଷା ସଞ୍ଚୟ କରିବା ପୂର୍ବେ ମୁକୁଳ ହୋଇଗଲା ଉତ୍ତାରେ ଓ ପୁଷ୍ପ ଦ୍ରାକ୍ଷାଫଳ ହୋଇ ପାଚୁଥିବା ସମୟରେ ସେ ଦାଆ ନେଇ ତହିଁର ପଲ୍ଲବ କାଟି ପକାଇବେ ଓ ତହିଁର ବିସ୍ତାରିତ ଶାଖାସବୁ ଛେଦନ କରି ପକାଇବେ। ୬ ପର୍ବତସ୍ଥ ଦୁରନ୍ତ ପକ୍ଷୀଗଣ ଓ ପୃଥିବୀର ପଶୁଗଣ ନିମନ୍ତେ ସେହି ସବୁ ପରିତ୍ୟକ୍ତ ହେବ; ଦୁରନ୍ତ ପକ୍ଷୀଗଣ ତହିଁ ଉପରେ ଗ୍ରୀଷ୍ମକାଳ କ୍ଷେପଣ କରିବେ ଓ ପୃଥିବୀର ପଶୁସବୁ ତହିଁ ଉପରେ ଶୀତକାଳ କ୍ଷେପଣ କରିବେ। ୭ ସେହି ସମୟରେ ଦୀର୍ଘକାୟ ଓ ଚିକ୍କଣ ଓ ଅଦ୍ୟାବଧି ଭୟଙ୍କର ଏକ ଗୋଷ୍ଠୀୟ ଲୋକେ; ଯେଉଁମାନେ ପରିମାଣ କରନ୍ତି ଓ ପଦ ତଳେ ଦଳିତ କରନ୍ତି, ଯେଉଁମାନଙ୍କର ଦେଶ ନଦନଦୀରେ ବିଭକ୍ତ, ଏପରି ଏକ ଜନବୃନ୍ଦ ସୈନ୍ୟାଧିପତି ସଦାପ୍ରଭୁଙ୍କର ଉପହାର ରୂପେ ସୈନ୍ୟାଧିପତି ସଦାପ୍ରଭୁଙ୍କର ନାମବିଶିଷ୍ଟ ସ୍ଥାନ ସିୟୋନ ପର୍ବତକୁ ଅଣାଯିବେ।