୧୭
ପ୍ରସ୍ତରରୁ ଜଳ
୧ ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ସୀନ୍ ପ୍ରାନ୍ତରରୁ ଯାତ୍ରା କରି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନିରୂପିତ ସକଳ ଉତ୍ତରଣ-ସ୍ଥାନ ଦେଇ ରଫୀଦୀମରେ ଛାଉଣି ସ୍ଥାପନ କଲେ; ମାତ୍ର ସେ ସ୍ଥାନରେ ଲୋକମାନଙ୍କର ପାନ କରିବାକୁ ଜଳ ନ ଥିଲା। ୨ ଏଥିପାଇଁ ଲୋକମାନେ ମୋଶାଙ୍କ ସଙ୍ଗରେ ବିବାଦ କରି କହିଲେ, “ଆମ୍ଭମାନଙ୍କୁ ଜଳ ଦିଅ, ଆମ୍ଭେମାନେ ପାନ କରିବୁ।” ତହିଁରେ ମୋଶା କହିଲେ, “ତୁମ୍ଭେମାନେ ମୋ’ ସଙ୍ଗରେ କାହିଁକି ବିବାଦ କର ? କାହିଁକି ସଦାପ୍ରଭୁଙ୍କୁ ପରୀକ୍ଷା କର ?” ୩ ସେତେବେଳେ ଲୋକମାନେ ସେହି ସ୍ଥାନରେ ଜଳାଭାବ ହେତୁ ତୃଷାକୂଳ ହୋଇ ମୋଶାଙ୍କ ବିରୁଦ୍ଧରେ ବଚସା କରି କହିଲେ, “କାହିଁକି ତୁମ୍ଭେ ଆମ୍ଭମାନଙ୍କୁ, ଆମ୍ଭମାନଙ୍କ ସନ୍ତାନମାନଙ୍କୁ ଓ ପଶୁଗଣକୁ ପିପାସାରେ ମାରିବା ନିମନ୍ତେ ମିସରଠାରୁ ଆଣିଅଛ ?” ୪ ତହିଁରେ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ଏହି ଲୋକମାନଙ୍କ ନିମନ୍ତେ କ’ଣ କରିବି ? ସେମାନେ ମୋତେ ପଥର ପକାଇ ମାରିବାକୁ ପ୍ରାୟ ଉଦ୍ୟତ।” ୫ ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଯଦ୍ଵାରା ନୀଳ ନଦୀକୁ ଆଘାତ କରିଥିଲ, ସେହି ଯଷ୍ଟି ହସ୍ତରେ ଘେନି ଇସ୍ରାଏଲର କେତେକ ପ୍ରାଚୀନଙ୍କ ସଙ୍ଗେ ଇସ୍ରାଏଲ-ଲୋକମାନଙ୍କ ଆଗେ ଆଗେ ଯାଅ। ୬ ଦେଖ, ଆମ୍ଭେ ହୋରେବରେ ସେହି ଶୈଳ ଉପରେ ତୁମ୍ଭ ସମ୍ମୁଖରେ ଠିଆ ହେବା; ତୁମ୍ଭେ ସେହି ଶୈଳକୁ ଆଘାତ କଲେ, ତହିଁରୁ ଜଳ ନିର୍ଗତ ହେବ, ଆଉ ଲୋକମାନେ ତାହା ପାନ କରିବେ; ତେବେ ମୋଶା ଇସ୍ରାଏଲର ପ୍ରାଚୀନବର୍ଗଙ୍କ ଦୃଷ୍ଟିରେ ସେହିରୂପ କଲେ। ୭ ପୁଣି, ସେହି ସ୍ଥାନରେ ଇସ୍ରାଏଲ ସନ୍ତାନଗଣର ବିବାଦ ସକାଶୁ ଓ ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି କି ନାହିଁ, ଏହା କହି ସଦାପ୍ରଭୁଙ୍କୁ ପରୀକ୍ଷା କରିବା ସକାଶୁ ସେ ସେହି ସ୍ଥାନର ନାମ ମଃସା* ଅର୍ଥାତ୍ ପରୀକ୍ଷା ଓ ମିରୀବାଃ† ଅର୍ଥାତ୍ ବିବାଦ ରଖିଲେ।”
ଅମାଲେକୀୟମାନଙ୍କ ପରାଜୟ
୮ ସେହି ସମୟରେ ଅମାଲେକ ଆସି ରଫୀଦୀମରେ ଇସ୍ରାଏଲ ସହିତ ଯୁଦ୍ଧ କଲେ। ୯ ତହିଁରେ ମୋଶା ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଲୋକ ମନୋନୀତ କରି ଅମାଲେକ ସହିତ ଯୁଦ୍ଧ କରିବାକୁ ଯାଅ; ଆସନ୍ତାକାଲି ମୁଁ ଆପଣା ହସ୍ତରେ ପରମେଶ୍ୱରଙ୍କ ଯଷ୍ଟିଘେନି ପର୍ବତ ଶୃଙ୍ଗରେ ଠିଆ ହେବି।” ୧୦ ତହୁଁ ମୋଶାଙ୍କ ଆଜ୍ଞାନୁସାରେ ଯିହୋଶୂୟ ଅମାଲେକ ସହିତ ଯୁଦ୍ଧ କଲେ, ପୁଣି, ମୋଶା ଓ ହାରୋଣ, ହୂର ପର୍ବତ ଶୃଙ୍ଗରେ ଆରୋହଣ କଲେ। ୧୧ ପୁଣି, ମୋଶା ଆପଣା ହସ୍ତ ଉର୍ଦ୍ଧ୍ୱକୁ ଟେକିଥିବା ସମୟରେ ଇସ୍ରାଏଲ ଜୟୀ ହେଲେ ଓ ସେ ଆପଣା ହସ୍ତ ନୁଆଁଇଥିବା ସମୟରେ ଅମାଲେକ ଜୟୀ ହେଲେ। ୧୨ ମାତ୍ର ମୋଶାଙ୍କର ହସ୍ତ ଭାରୀ ହେଲା; ଏହେତୁ ସେମାନେ ଖଣ୍ଡିଏ ପ୍ରସ୍ତର ଆଣି ତାହା ତଳେ ରଖନ୍ତେ, ମୋଶା ତହିଁ ଉପରେ ବସିଲେ, ପୁଣି, ହାରୋଣ ଓ ହୂର ଜଣେ ଏପାଖେ ଆଉ ଜଣେ ସେପାଖେ ତାଙ୍କର ହାତ ଟେକି ଧରିଲେ; ତହିଁରେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତାଙ୍କର ହସ୍ତ ସ୍ଥିର ରହିଲା। ୧୩ ଏଣୁ ଯିହୋଶୂୟ ଅମାଲେକକୁ ଓ ତାହାର ଲୋକମାନଙ୍କୁ ଖଡ୍ଗଧାରରେ ପରାସ୍ତ କଲେ। ୧୪ ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି କଥା ସ୍ମରଣାର୍ଥେ ପୁସ୍ତକରେ ଲେଖି ରଖ, ପୁଣି, ଯିହୋଶୂୟର କର୍ଣ୍ଣଗୋଚରରେ ତାହା ପାଠ କର; ଯଥା, ଆମ୍ଭେ ଆକାଶ ତଳରୁ ଅମାଲେକର ସ୍ମରଣ ଲୋପ କରିବା।” ୧୫ ତହିଁରେ ମୋଶା ଗୋଟିଏ ବେଦି ନିର୍ମାଣ କରି ତହିଁର ନାମ ଯିହୋବାଃ-ନିଃଷି‡ ଅର୍ଥାତ୍ ସଦାପ୍ରଭୁ ମୋହର ଧ୍ୱଜା ରଖିଲେ। ୧୬ ପୁଣି, ସେ ସଦାପ୍ରଭୁଙ୍କ ଧ୍ୱଜାରେ ହସ୍ତ ଦେଇ କହିଲେ, “ପୁରୁଷାନୁକ୍ରମେ ଅମାଲେକ ସହିତ ସଦାପ୍ରଭୁଙ୍କର ଯୁଦ୍ଧ ହେବ।”