ମହାନ ରାଜା
ଦାଉଦଙ୍କର ଗୀତ।
1ପୃଥିବୀ ଓ ତହିଁର ପୂର୍ଣ୍ଣତା,
ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର।
2କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି
ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି।
3କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ?
ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ?
4ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ;
ଯାହାର ମନ ଅସାରତା ପ୍ରତି ଉଠି ନାହିଁ,
ପୁଣି, ଯେ ଛଳ ଭାବରେ ଶପଥ କରି ନାହିଁ, ସେ।
5ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ
ସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ।
6ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରନ୍ତି, ସେମାନଙ୍କର ବଂଶ ଏହି,
ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି।
[ସେଲା]
7ହେ ନଗରଦ୍ୱାରସକଳ, ମସ୍ତକ ଟେକ;
ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ;
ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
8ଗୌରବମୟ ରାଜା କିଏ?
ବଳବାନ ଓ ବୀର ସଦାପ୍ରଭୁ,
ସଂଗ୍ରାମରେ ବୀର ସଦାପ୍ରଭୁ।
9ହେ ନଗରଦ୍ୱାରସକଳ, ମସ୍ତକ ଟେକ;
ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ;
ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
10ଏହି ଗୌରବମୟ ରାଜା କିଏ?
ବାହିନୀଗଣର ସଦାପ୍ରଭୁ,
ସେ ଗୌରବମୟ ରାଜା ଅଟନ୍ତି।
[ସେଲା]