ଇଲୀଫସ୍-ନିର୍ଦ୍ଦୋଷର ସମୃଦ୍ଧି
1ଏଥିରେ ତୈମନୀୟ ଇଲୀଫସ୍ ଉତ୍ତର କରି କହିଲା,
2“କେହି ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ ତୁମ୍ଭେ କʼଣ ଦୁଃଖିତ ହେବ?
ମାତ୍ର କଥା କହିବାରୁ କିଏ ଆପଣାକୁ କ୍ଷାନ୍ତ କରିପାରେ?
3ଦେଖ, ତୁମ୍ଭେ ଅନେକଙ୍କୁ ଶିକ୍ଷା ଦେଇଅଛ
ଓ ତୁମ୍ଭେ ଦୁର୍ବଳହସ୍ତ ସବଳ କରିଅଛ।
4ତୁମ୍ଭର ବାକ୍ୟ ପଡୁଥିବା ଲୋକକୁ ଧରି ରଖିଅଛି
ଓ ତୁମ୍ଭେ ଦୁର୍ବଳ ଆଣ୍ଠୁକୁ ଦୃଢ଼ କରିଅଛ।
5ମାତ୍ର ଏବେ ତାହା ତୁମ୍ଭ ପ୍ରତି ଘଟିଅଛି, ଆଉ ତୁମ୍ଭେ କ୍ଳାନ୍ତ ହେଉଅଛ;
ତାହା ତୁମ୍ଭକୁ ସ୍ପର୍ଶ କରୁଅଛି, ଆଉ ତୁମ୍ଭେ ବ୍ୟାକୁଳ ହେଉଅଛ।
6ପରମେଶ୍ୱର ବିଷୟକ ତୁମ୍ଭର ଭୟ ତୁମ୍ଭର ବିଶ୍ୱାସଭୂମି ନୁହେଁ କି?
ଓ ତୁମ୍ଭ ମାର୍ଗର ସରଳତା ତୁମ୍ଭର ଆଶାଭୂମି ନୁହେଁ କି?
7ମୁଁ ବିନୟ କରୁଅଛି, ସ୍ମରଣ କର, ନିର୍ଦ୍ଦୋଷ ଥାଇ କିଏ ବିନଷ୍ଟ ହୋଇଅଛି କି?
ଅବା ସରଳାଚାରୀମାନେ କେଉଁଠାରେ ଉଚ୍ଛିନ୍ନ ହୋଇଅଛନ୍ତି କି?
8ମୋହର ଦେଖିଲା ପ୍ରମାଣେ, ଯେଉଁମାନେ ଅଧର୍ମ ଚଷନ୍ତି
ଓ ଦୁଃଖରୂପ ବୀଜ ବୁଣନ୍ତି, ସେମାନେ ତାହା ହିଁ କାଟନ୍ତି।
9ସେମାନେ ପରମେଶ୍ୱରଙ୍କ ନିଶ୍ୱାସ ଦ୍ୱାରା ବିନଷ୍ଟ ହୁଅନ୍ତି
ଓ ତାହାଙ୍କର କ୍ରୋଧରୂପ ଫୁତ୍କାର ଦ୍ୱାରା ସଂହାରିତ ହୁଅନ୍ତି।
10ସିଂହର ଗର୍ଜ୍ଜନ ଓ ଭୟାନକ ସିଂହର ହୁଙ୍କାର ଓ
ଯୁବା ସିଂହର ଦନ୍ତ ଭଗ୍ନ ହୁଏ।
11ବୃଦ୍ଧ ସିଂହ ଶିକାର ଅଭାବରେ ବିନଷ୍ଟ ହୁଏ
ଏବଂ ସିଂହୀର ଶାବକଗଣ ଛିନ୍ନଭିନ୍ନ ହୋଇଯାʼନ୍ତି।
12କଥା ଗୋଟିଏ ଗୁପ୍ତରେ ମୋʼ ନିକଟରେ ପହଞ୍ଚିଲା
ଓ ମୋʼ କର୍ଣ୍ଣ ତହିଁର ଈଷତ୍ ଶବ୍ଦ ପାଇଲା।
13ଯେତେବେଳେ ଲୋକେ ଘୋର ନିଦ୍ରାଗ୍ରସ୍ତ ହୁଅନ୍ତି,
ଏପରି ରାତ୍ରିର ସ୍ୱପ୍ନଦର୍ଶନରୁ ଜାତ ଭାବନା ସମୟରେ,
14ମୋହର ଭୟ ଓ କମ୍ପ ହେଲା,
ତଦ୍ଦ୍ୱାରା ମୋହର ଅସ୍ଥିସବୁ ଥରହର ହେଲା।
15ତହିଁରେ ମୋʼ ସମ୍ମୁଖରେ ଏକ ଆତ୍ମା ଚାଲିଗଲା;
ମୋʼ ଶରୀର ରୋମାଞ୍ଚିତ ହୋଇ ଉଠିଲା।
16ତାହା ଠିଆ ହୋଇ ରହିଲା, ମାତ୍ର ମୁଁ ତହିଁର ଆକାର ନିର୍ଣ୍ଣୟ କରି ପାରିଲି ନାହିଁ;
ମୋʼ ଚକ୍ଷୁ ଆଗରେ ଏକ ମୂର୍ତ୍ତି ଥିଲା;
ସବୁ ନିଃଶବ୍ଦ ଥିଲା, ତହୁଁ ମୁଁ ଏହି ରବ ଶୁଣିଲି,
17‘ମର୍ତ୍ତ୍ୟର ମନୁଷ୍ୟ କʼଣ ପରମେଶ୍ୱରଙ୍କ ଅପେକ୍ଷା ଅଧିକ ଧାର୍ମିକ ହେବ?
ନିଜ ସୃଷ୍ଟିକର୍ତ୍ତା ଅପେକ୍ଷା ମନୁଷ୍ୟ କʼଣ ଅଧିକ ଶୁଚି ହେବ?
18ଦେଖ, ସେ ଆପଣା ଦାସଗଣକୁ ବିଶ୍ୱାସ କରନ୍ତି ନାହିଁ
ଓ ସେ ଆପଣା ଦୂତଗଣ ପ୍ରତି ତ୍ରୁଟିର ଦୋଷାରୋପ କରନ୍ତି;
19ତେବେ ଯେଉଁମାନେ ମୃତ୍ତିକା-ନିର୍ମିତ ଗୃହରେ ବାସ କରନ୍ତି, ସେମାନେ କଅଣ?
ସେମାନଙ୍କ ଭିତ୍ତିମୂଳ ଧୂଳିରେ ସ୍ଥାପିତ,
ସେମାନେ କୀଟ ତୁଲ୍ୟ ମର୍ଦ୍ଦିତ ହୁଅନ୍ତି।
20ସେମାନେ ପ୍ରଭାତ ଓ ସାୟଂକାଳ ମଧ୍ୟରେ ବିନଷ୍ଟ ହୁଅନ୍ତି;
ସେମାନେ ଚିରକାଳ ନଷ୍ଟ ହୁଅନ୍ତି, କେହି ଚିନ୍ତା କରେ ନାହିଁ।
21ସେମାନଙ୍କ ତମ୍ବୁର ରଜ୍ଜୁ କʼଣ ସେମାନଙ୍କ ଅନ୍ତରରେ ଛିଣ୍ଡା ନ ଯାଏ?
ସେମାନେ ଜ୍ଞାନରହିତ ହୋଇ ମରନ୍ତି।’