ପବିତ୍ର ସିନ୍ଦୁକ ପଲେଷ୍ଟୀୟମାନଙ୍କୁ କଷ୍ଟ ଦେଲା
5
ଏଥି ମଧ୍ୟରେ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଏବନ୍-ଏଜରରୁ ଅ‌ସ୍‌ଦୋଦକୁ ନେଇ ଯାଇଥିଲେ। ତହିଁ ଉତ୍ତାରୁ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇ ଦାଗୋନ୍ ମନ୍ଦିରକୁ ଆଣି ଦାଗୋନ୍ ଦେବତା ନିକଟରେ ରଖିଲେ। ତହିଁ ପରଦିନ ଅ‌ସ୍‌ଦୋଦର ଲୋକମାନେ ଶୀଘ୍ର ଉଠିଲେ ଏବଂ ଦେଖିଲେ, ଦାଗୋ‌ନ୍‌ର ମୂର୍ତ୍ତି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁମାଡ଼ି ଭୂମିରେ ପଡ଼ିଅଛି।
ଦାଗୋ‌ନ୍‌ର ଲୋକମାନେ ପୁନର୍ବାର ଉଠାଇ ସ୍ୱସ୍ଥାନରେ ରଖିଲେ। ପୁଣି ସେମାନେ ପରଦିନ ପ୍ରଭାତରେ ଯେତେବେଳେ ଉଠିଲେ ଦାଗୋନ୍ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଥିଲା ଏବଂ ବାହୁଗୁଡ଼ିକ ଓ ମୁଣ୍ଡ କଟା ହୋଇଥିଲା ଏବଂ ଦ୍ୱାରବନ୍ଧ ଉପରେ ପଡ଼ିଥିଲା। କିନ୍ତୁ ତାହାର ଗଣ୍ତି ଗୋଟିଏ ଖଣ୍ତ ହୋଇ ରହିଥିଲା। ଏଥିପାଇଁ ଦାଗୋ‌ନ୍‌ର ଯାଜକମାନେ ଅବା ଯେଉଁମାନେ ଦାଗୋନ୍ ମନ୍ଦିରକୁ ଆସନ୍ତି, ସେମାନେ ଆଜି ପର୍ଯ୍ୟନ୍ତ ଅ‌ସ୍‌ଦୋଦସ୍ଥିତ ଦାଗୋନ୍ ମନ୍ଦିରର ଦ୍ୱାରବନ୍ଧକୁ ମାଡ଼ନ୍ତି ନାହିଁ।
ଅ‌ସ୍‌ଦୋଦୀୟ ଲୋକମାନଙ୍କର ଓ ସେମାନଙ୍କର ପଡ଼ୋଶୀମାନଙ୍କର ଜୀବନକୁ ସଦାପ୍ରଭୁ କଠିନ କରି ସେମାନଙ୍କୁ ନାନା କଷ୍ଟ ଦେଲେ। ସେ ସେମାନଙ୍କୁ ଅର୍ଶରୋଗରେ ଆଘାତ କଲେ। ସେ ମଧ୍ୟ ସେମାନଙ୍କ ପାଇଁ ମୂଷାଗୁଡ଼ିକ ପଠେଇଲେ, ଯାହାକି ସେମାନଙ୍କର ଜାହାଜଗୁଡ଼ିକରେ ଓ ଦେଶରେ ଭର୍ତ୍ତି ହୋଇଗଲେ। ଫଳରେ ଲୋକମାନେ ଡରିଗଲେ। ଏହିପରି ଅ‌ସ୍‌ଦୋଦୀୟ ଲୋକମାନେ ଯାହାସବୁ ଘଟିଯାଉଥିଲା ଦେଖିଲେ ଏବଂ କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭ ଦେବତା ଦାଗୋନ୍ ଉପରେ ତାଙ୍କର ହସ୍ତ ନିଷ୍ଠୁର ହୋଇଅଛି।”
ଏଣୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଆପଣାମାନଙ୍କ ନିକଟରେ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବିଷୟରେ ଆମ୍ଭେମାନେ କ’ଣ କରିବା?”
ତହିଁରେ ସେମାନେ ଉତ୍ତର ଦେଇ କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଗା‌ଥ୍‌କୁ ନିଆଯାଉ।” ତା’ପରେ ସେମାନେ ସେଠାକୁ ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇଗଲେ।
ପୁଣି ସେମାନେ ତାହା ନେଇଗଲା ପରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ଗାଥ୍ ନଗରକୁ ଭୟ ଓ ଯନ୍ତ୍ରଣାରେ ଆଘାତ କଲା; ପୁଣି ସେ ନଗରସ୍ଥ ସାନ ଓ ବଡ଼ ଉଭୟଙ୍କୁ ସେ କ୍ଳେଶ ଦେଲେ ଓ ସେମାନଙ୍କଠାରେ ଅର୍ଶରୋଗ ବାହାରିଲା। 10 ଏହା ପରେ ସେମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଇକ୍ରୋଣକୁ ପଠାଇଲେ।
ଯେତେବେଳେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଆସିଲା। ଇକ୍ରୋଣୀୟମାନେ ଚିତ୍କାର କରି କହିଲେ, “ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକଙ୍କୁ ବଧ କରିବା ପାଇଁ ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟକୁ ଆଣିଛ।” 11 ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ପଠାଇ ଦିଅ, ତାହା ସ୍ୱସ୍ଥାନକୁ ଫେରିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ୟା ନ କରୁ,”
କାରଣ ନଗରର ସବୁଆଡ଼େ ମୃତ୍ୟୁଜନିତ ବ୍ୟାକୁଳତା ଜନ୍ମି ଥିଲା। ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରି ଥିଲା। 12 ପୁଣି ଯେଉଁ ଲୋକମାନେ ମଲେ ନାହିଁ, ସେମାନେ ଅର୍ଶରୋଗରେ ପୀଡ଼ିତ ହେଲେ; ଆଉ ନଗରର ଆର୍ତ୍ତନାଦ ସ୍ୱର୍ଗକୁ ଉଠିଲା।