77
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୁଥୂନର ରୀତିନୁସାରେ ଆସଫର ଗୀତ।
1 ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି।
ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
2 ବିପଦ ସମୟରେ ମୁଁ ମୋର ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଗ୍ଭହିଁଅଛି।
ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି।
କିନ୍ତୁ ମୁଁ ଆଶ୍ୱାସନା ପାଇଲି ନାହିଁ।
3 ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି, ତାଙ୍କୁ ମୋର ଅନୁଭୂତି କହିବାକୁ ଚେଷ୍ଟା କରିଛି।
କିନ୍ତୁ ମୁଁ ପାରୁ ନାହିଁ।
4 ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ।
ମୁଁ ଏମନ୍ତ ବ୍ୟାକୁଳ ଯେ କଥା କହିପାରୁ ନାହିଁ।
5 ବହୁତ ଆଗରୁ ଘଟିଯାଇଥିବା ଘଟଣା ବିଷୟରେ
ମୁଁ ଚିନ୍ତା କରେ।
6 ରାତିରେ ମୁଁ ନିଜ ଗୀତ ବିଷୟରେ ଭାବିଲି।
ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ।
ମୋର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
7 ମୁଁ ଆଶ୍ଚର୍ଯ୍ୟ ହେଲି, “ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ୟାଗ କରିଛନ୍ତି କି?
ଆଉ ସେ କ’ଣ ସୁପ୍ରସନ୍ନ ହେବେ ନାହିଁ?
8 ପରମେଶ୍ୱରଙ୍କ ଦୟା କ’ଣ ଚିରକାଳ ପାଇଁ ଲୁପ୍ତ ହୋଇଛି?
ତାଙ୍କର ପ୍ରତିଜ୍ଞା କ’ଣ ଚିରକାଳ ପାଇଁ ବିଫଳ ହୋଇଛି?
9 ପରମେଶ୍ୱର କ’ଣ କୃପା କରିବାକୁ ପାସୋରି ଅଛନ୍ତି?
ତାଙ୍କର ଦୟା କ’ଣ କ୍ରୋଧରେ ପରିଣତ ହୋଇଅଛି?”
10 ଏହା ପରେ ମୁଁ ଚିନ୍ତା କଲି, “ଏସବୁ ମୋତେ ବିବ୍ରତ କରୁଅଛି,
‘ସର୍ବୋପରିସ୍ଥ ପରମେଶ୍ୱର କ’ଣ ତାଙ୍କର ଶକ୍ତି ହରାଇ ଅଛନ୍ତି?”
11 ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ।
ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ମୁଁ ମନେ ପପାଏ।
12 ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ
ଏବଂ କାର୍ଯ୍ୟକୁ ଅନୁଧ୍ୟାନ କରେ।
13 ହେ ପରମେଶ୍ୱର, ତୁମ୍ଭର ପଥସବୁ ପବିତ୍ର।
ତୁମ୍ଭପରି ମହାନ କେହି ପରମେଶ୍ୱର ନାହାନ୍ତି।
14 ତୁମ୍ଭେ ହେଉଛ ପରମେଶ୍ୱର ଯିଏକି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି।
ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
15 ତୁମ୍ଭର ଶକ୍ତିଦ୍ୱାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ।
ଯାକୁବ ଓ ଯୋଷେଫର ସନ୍ତାନଗଣକୁ ରକ୍ଷା କରିଅଛ।
16 ହେ ପରମେଶ୍ୱର, ତୁମ୍ଭକୁ ଦେଖି ଜଳରାଶି ଡରିଗଲା।
ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
17 ମେଘମାଳା ସେମାନଙ୍କର ଜଳବୃଷ୍ଟି କଲେ।
ଆକାଶରେ ମେଘର ଘୋର ଗର୍ଜନ ଲୋକମାନେ ଶୁଣିଲେ।
ତା’ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।
18 ଘୂର୍ଣ୍ଣିବାତ୍ୟାରେ ତୁମ୍ଭର ବଜ୍ରଧ୍ୱନି ସ୍ୱର ଶୁଣାଗଲା।
ବିଜୁଳି ଜଗତକୁ ଆଲୋକମୟ କଲା।
ପୃଥିବୀ କମ୍ପିତ ହେଲା।
19 ହେ ପରମେଶ୍ୱର, ସମୁଦ୍ରରେ ତୁମ୍ଭେ ପାଦରେ ଗ୍ଭଲି ପାର
କିନ୍ତୁ ତୁମ୍ଭର ପାଦ ଚିହ୍ନ ଦେଖାଗଲା ନାହିଁ।
20 ତୁମ୍ଭେ ମୋଶା ଓ ହାରୋଣକୁ ବ୍ୟବହାର କରି
ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।