ପଞ୍ଚମ ପୁସ୍ତକ
107
(ଗୀତସଂହିତା 107-150)
1 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
2 ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
3 ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।
4 ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ।
ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ,
କିନ୍ତୁ ସେମାନେ ପାଇଲେ ନାହିଁ।
5 ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ
ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ।
6 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ।
7 ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ।
8 ସେମାନେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ୟବାଦ କରିବା ଉଚିତ୍
କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
9 କାରଣ ପରମେଶ୍ୱର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି।
କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ୱର ପୂର୍ଣ୍ଣ କରିଛନ୍ତି।
10 ପରମେଶ୍ୱରଙ୍କର କିଛି ଲୋକ ଦୁଃଖ ଓ ଲୌହ ଶୃଙ୍ଖଳରେ ବନ୍ଧାହୋଇ
ଅନ୍ଧକାରରେ ଥିଲେ।
11 କାରଣ ସେମାନେ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ।
ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଉପଦେଶକୁ ମାନିବାକୁ ମନା କଲେ।
12 ପରମେଶ୍ୱର ସେମାନଙ୍କୁ ନମ୍ର କରେଇବା ପାଇଁ
ଅସୁବିଧାର ସମ୍ମୁଖୀନ କଲେ।
ସେମାନେ ପତିତ ହେଲେ
ଓ ସାହାଯ୍ୟ କରିବାକୁ କେହି ନ ଥିଲେ।
13 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
ଏବଂ ସେ ସେମାନଙ୍କୁ ବିପଦରୁ ରକ୍ଷା କଲେ।
14 ପରମେଶ୍ୱର ସେମାନଙ୍କୁ ଅନ୍ଧକାର ଓ ମୃତ୍ୟୁ ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ
ଓ ସେମାନଙ୍କ ବନ୍ଧନ ଛେଦନ କଲେ।
15 ସେମାନେ ସଦାପ୍ରଭୁଙ୍କର କରୁଣା ପ୍ରେମ ପାଇଁ ତାଙ୍କୁ ଧନ୍ୟବାଦ କରନ୍ତୁ।
ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
16 ପରମେଶ୍ୱର ପିତ୍ତଳ ଫାଟକକୁ ଭାଙ୍ଗି ଦେଇ ପାରିବେ।
ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରି ପାରିବେ।
17 କେତେକ ମୂର୍ଖ ହୋଇଗଲେ କାରଣ ସେମାନଙ୍କର ନିଜର ପାପ ଯୋଗୁଁ
ଏବଂ ସେମାନେ ଅଧର୍ମାଚରଣ କଲେ।
18 ସେହି ଲୋକମାନେ ବହୁତ ରୁଗ୍ଣ ଥିଲେ।
ଖାଦ୍ୟ ପରିତ୍ୟାଗ କରିଥିଲେ।
ସେମାନେ ପ୍ରାୟ ମୃତବତ୍ ରହିଥିଲେ।
19 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ
ଏବଂ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ମୁକ୍ତ କଲେ।
20 ପରମେଶ୍ୱର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ।
ଏବଂ ସେ ବିନାଶରୁ ସେମାନଙ୍କୁ ମୁକ୍ତ କଲେ।
21 ସଦାପ୍ରଭୁଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ କରୁଣା ନିମନ୍ତେ ଧନ୍ୟବାଦ କର
କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
22 ସେମାନେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରନ୍ତୁ
ଓ ଗାନ କରି ତାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।
23 କେତେକ ଲୋକ ସେମାନଙ୍କର କାର୍ଯ୍ୟ ପାଇଁ
ନୌକାରେ ସମୁଦ୍ର ପାର ହୁଅନ୍ତି।
24 ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ
ଓ ସମୁଦ୍ର ଜଳରେ ତାଙ୍କର ଅଦ୍ଭୂତ କାର୍ଯ୍ୟ ଦେଖନ୍ତି।
25 ପରମେଶ୍ୱର ଆଜ୍ଞା କଲେ ଏବଂ ପ୍ରବଳ ବାୟୁ ଉଠି ଆସିଲା।
ଢେଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
26 ସେମାନେ ସେହି ଢେଉରେ ଆକାଶକୁ ଉଠିଲେ
ଓ ଏହା ପରେ ଜଳଗର୍ଭକୁ ଖସିଲେ।
ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ଯେ, ସେମାନେ ସେମାନଙ୍କର ସାହସ ହରାଇଲେ।
27 ସେମାନେ ମତ୍ତଲୋକ ପରି ଏକଡ଼ ସେକଡ଼ ଦୋହଲନ୍ତି।
ଏବଂ ସେମାନଙ୍କର ବୁଦ୍ଧି ହଜିଯାଏ।
28 ତେବେ ସେମାନେ ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ
ଏବଂ ତହିଁରେ ପରମେଶ୍ୱର ସେମାନଙ୍କୁ ସଙ୍କଟରୁ ଉଦ୍ଧାର କଲେ।
29 ପରମେଶ୍ୱର ବତାସକୁ ସ୍ଥିର କଲେ
ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ।
30 ସମୁଦ୍ର ଶାନ୍ତ ହୋଇଗଲା ବୋଲି ନାବିକମାନେ ଖୁସୀ ହେଲେ,
କାରଣ ସେମାନେ ଯେଉଁଠାକୁ ଯିବାକୁ ଗ୍ଭହିଁଥିଲେ ପରମେଶ୍ୱର ତାଙ୍କୁ ପୋତାଶ୍ରୟକୁ ନିରାପଦରେ ଆଗେଇ ନେଲେ।
31 ସେମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ପାଇଁ ତାଙ୍କୁ ଧନ୍ୟବାଦ କର,
ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
32 ଲୋକମାନଙ୍କ ମହାସଭାରେ ପରମେଶ୍ୱରଙ୍କର ପ୍ରଶଂସା କରିବା ଉଚିତ୍
ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍।
33 ପରମେଶ୍ୱର ନଦନଦୀକୁ ମରୁଭୂମିରେ ପରିଣତ କରି ପାରିବେ
ଏବଂ ଝରଣାର ଜଳସ୍ରୋତକୁ ବନ୍ଦ କରି ପାରନ୍ତି।
34 ପରମେଶ୍ୱର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି।
କାରଣ ଦେଶର ଅଧର୍ମୀ ଲୋକମାନେ ସେଠାରେ ବାସ କରନ୍ତି।
35 କିନ୍ତୁ ପରମେଶ୍ୱର ମଧ୍ୟ ମରୁଭୂମିକୁ ଜଳାଶୟରେ ପରିବର୍ତ୍ତିତ କରି ପାରନ୍ତି।
ସେ ପୁଣି ଶୁଷ୍କ ଭୂମିରେ ଝରଣା ବୁହାଇ ପାରନ୍ତି।
36 ପରମେଶ୍ୱର କ୍ଷୁଧାର୍ତ୍ତ ଲୋକମାନଙ୍କୁ ଉର୍ବର ଭୂମିକୁ ଆଗେଇ ନିଅନ୍ତି।
ଏବଂ ସେଠାରେ ସେମାନେ ତାଙ୍କର ରହିବା ପାଇଁ ନୂତନ ସହର ସୃଷ୍ଟି କରନ୍ତି।
37 ସେହି ଲୋକମାନେ ସେମାନଙ୍କର ଜମିରେ ବୀଜ ରୋପଣ କଲେ ଓ ସେମାନେ ଦ୍ରାକ୍ଷାଲତା ଲଗେଇଲେ
ଏବଂ ଭଲ ଫସଲ ଅମଳ କରି ପାରନ୍ତି।
38 ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତି।
ତହିଁରେ ସେମାନେ ଅତିଶୟ ବୃଦ୍ଧି ପା’ନ୍ତି।
ଏବଂ ସେମାନଙ୍କର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ।
39 ଯେତେବେଳେ ପରମେଶ୍ୱରଙ୍କର ଲୋକମାନେ ଛୋଟ ହୋଇଗଲେ
ଏବଂ ଅତ୍ୟାଗ୍ଭର, ଅସୁବିଧା ଏବଂ ଦୁଃଖ ଯୋଗୁଁ ଅପମାନିତ ହେଲେ।
40 ପରମେଶ୍ୱର ସେମାନଙ୍କର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ୟାଗ୍ଭର କରିଥିଲେ।
ପୁଣି ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
41 କିନ୍ତୁ ପରମେଶ୍ୱର ସେହି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ।
ସେ ସେମାନଙ୍କର ପରିବାରକୁ ମେଷପଲ ତୁଲ୍ୟ ପାଳନ କରନ୍ତି।
42 ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେଲେ
ଏବଂ ଦୁଷ୍ଟ ଲୋକମାନେ କ’ଣ କହିବା କଥା ତାହା ଜାଣନ୍ତି ନାହିଁ।
43 ଯେ ଜ୍ଞାନବାନ୍, ସେ ଏହିସବୁ ବିଷୟରେ ମନୋଯୋଗ କରିବ।
ପୁଣି ସେ ପରମେଶ୍ୱରଙ୍କର ପ୍ରକୃତ କରୁଣା ପ୍ରେମକୁ ସେ ବୁଝିବା ଉଚିତ୍।