ପ୍ରାଣୀମାନଙ୍କୁ ବଧ କରିବା ଓ ଭକ୍ଷ୍ୟଣ କରିବାର ବିଧି
17
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ସଦାପ୍ରଭୁଙ୍କ ଆଜ୍ଞା ବିଷୟରେ କୁହ। ଯଦି କେହି ଗାଈ କି ମେଷ କି ଛାଗ ଛାଉଣି ମଧ୍ୟରେ ବା ଛାଉଣି ବାହାରେ ବଧ କରେ, ସେହି ଲୋକ ସେହି ପ୍ରାଣୀକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ ଓ ସେହି ପ୍ରାଣୀର ଏକ ଅଂଶ ଉପହାର ସ୍ୱରୂପ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ସେ ଯଦି ତାହା ନ କରେ ତେବେ ରକ୍ତପାତର ଅପରାଧରେ ଅପରାଧୀ ହେବ। ସେ ରକ୍ତପାତ ଅପରାଧ ଯୋଗୁଁ ନିଜ ଲୋକମାନଙ୍କଠାରୁ ଅଲଗା ରହିବ। ଏଣୁ ଇସ୍ରାଏଲର ସନ୍ତାନଗଣ ନିଜ ନିଜର ଯେଉଁ ବଳି କ୍ଷେତ୍ରକୁ ନିଅନ୍ତି, ସେ ସମସ୍ତ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣିବେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ। ତା’ପରେ ସେ ଯାଜକ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସେହି ରକ୍ତ ଛିଞ୍ଚିବ, ଆଉ ସଦାପ୍ରଭୁଙ୍କୁ ଉପହାର ସ୍ୱରୂପ ସେହି ମେଦ ଦ‌‌‌‌ଗ୍‌‌‌‌ଧ କରିବ। ତହିଁରେ ସେମାନେ ଯେଉଁ ଛାଗ ପ୍ରତିମାମାନଙ୍କ ସହିତ ବ୍ୟଭିଗ୍ଭର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ। ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
“ତୁମ୍ଭେ ସବୁ ଲୋକଙ୍କୁ କହିବ, ଇସ୍ରାଏଲ ବଂଶଜାତ କୌଣସି ଲୋକ କିମ୍ବା ଭ୍ରମଣକାରୀ କିମ୍ବା କୌଣସି ବିଦେଶୀ ଲୋକ ଯେବେ ହୋମବଳି କି ବଳିଦାନ କରେ, ତେବେ ସେ ସେହି ବଳିଦାନ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ଯଦି ସେ ତାହା ନ କରିବ ତେବେ ସେ ନିଜ ଲୋକମାନଙ୍କଠାରୁ ପୃଥକ ରହିବ।
10 “ଆଉ କୌଣସି ଇସ୍ରାଏଲୀୟ କିମ୍ବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ ରଖିବା। 11 କାରଣ ରକ୍ତରେ ପ୍ରାଣୀର ଜୀବନ ଥାଏ। ପୁଣି ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ଆମ୍ଭେ ତାହା ଯଜ୍ଞବେଦି ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ମୂଲ୍ୟରେ ରକ୍ତ ହିଁ ପ୍ରାୟଶ୍ଚିତ କରେ। 12 ତେଣୁ ଆମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କହୁଛୁ, ତୁମ୍ଭମାନଙ୍କ ମଧ୍ୟରୁ କେହି ରକ୍ତ ଭୋଜନ କରିବ ନାହିଁ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ରକ୍ତ ଭୋଜନ କରିବ ନାହିଁ।
13 “ଆଉ କୌଣସି ଇସ୍ରାଏଲୀୟ ହେଉ କିମ୍ବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ହେଉ, ଯଦି ମୃଗୟା କରି କୌଣସି ପଶୁ ବା ପକ୍ଷୀକୁ ଖାଦ୍ୟ ପାଇଁ ବଧ କରେ, ତେବେ ସେ ତାହାର ରକ୍ତ ଭୁମିରେ ଢାଳି ଧୂଳିରେ ଢାଙ୍କିବ। 14 କାରଣ ସବୁ ପ୍ରାଣୀର ପ୍ରାଣ ରକ୍ତରେ ହିଁ ଥାଏ। ଏଣୁ ଆମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କହିଲୁ, ତୁମ୍ଭେମାନେ କୌଣସି ପ୍ରାଣୀର ରକ୍ତ ଭୋଜନ କରିବ ନାହିଁ। ଯେହେତୁ ସକଳ ପ୍ରାଣୀର ରକ୍ତ ହିଁ ତା’ର ପ୍ରାଣ। ଯେକେହି ତାହା ଭୋଜନ କରେ, ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।
15 “ଆଉ ତୁମ୍ଭେ ନିଜ ଲୋକ କି ବିଦେଶୀ ମଧ୍ୟରୁ ଯେକେହି ସ୍ୱୟଂ ମୃତ ପଶୁ ଭୋଜନ କରେ, ତେବେ ସେ ନିଜର ବସ୍ତ୍ର ଧୋଇବା ଉଚିତ୍, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ, ତାହାପରେ ସେ ଶୁଚି ହେବ। 16 ଯଦି ସେ ତା’ର ବସ୍ତ୍ର ନ ଧୂଏ କିମ୍ବା ସ୍ନାନ ନ କରେ, ତେବେ ସେ ପାପର ଅପରାଧ ବହନ କରିବ।”