ଜ୍ଞାନ ପାଇଁ ଶଲୋମନଙ୍କ ପ୍ରାର୍ଥନା
3
1 ତା’ପରେ ଶଲୋମନ ମିଶରର ରାଜା ସହିତ ଚୁକ୍ତି କରି ଫାରୋଙ୍କ କନ୍ୟାକୁ ବିବାହ କଲେ ଓ ତାକୁ ଦାଉଦ ନଗରକୁ ଆଣିଲେ। ସେହି ସମୟରେ ସେ ନିଜ ପାଇଁ ପ୍ରାସାଦ ଓ ସଦାପ୍ରଭୁଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରୁଥିଲେ। ସେ ମଧ୍ୟ ଯିରୁଶାଲମର ଚତୁର୍ଦ୍ଦିଗରେ ଏକ ପ୍ରାଚୀର ନିର୍ମାଣ କରୁଥିଲେ।
2 କିନ୍ତୁ ସେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିଲା। ତେଣୁ ଲୋକମାନେ ନାନା ଉଚ୍ଚସ୍ଥାନରେ ବଳିଦାନ କରୁଥିଲେ।
3 ଶଲୋମନ ନିଜ ପିତା ଦାଉଦଙ୍କ ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କ ପ୍ରତି ପ୍ରେମ ପ୍ରକାଶ କଲେ। କେବଳ ସେ ପଶୁବଳି ଉତ୍ସର୍ଗ କଲେ ଓ ଉଚ୍ଚ ସ୍ଥାନରେ ଧୂପ ଜଳାଇଲେ।
4 ଶଲୋମନ ବଳିଦାନ ନିମନ୍ତେ ଗିବିୟୋନକୁ ଗଲେ, କାରଣ ତାହା ବଡ଼ ଉଚ୍ଚସ୍ଥଳୀ ଥିଲା। ସେ ସେହି ଯଜ୍ଞବେଦି ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ।
5 ଶଲୋମନ ଗିବିୟୋନରେ ଥିଲା ବେଳେ, ସଦାପ୍ରଭୁ ରାତ୍ରିରେ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ୱର ସ୍ୱପ୍ନରେ କହିଲେ, “ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦେବା।”
6 ଶଲୋମନ ଉତ୍ତର କଲେ, “ତୁମ୍ଭେ ମୋର ପିତା ତୁମ୍ଭର ଦାସ ଦାଉଦଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲ। ସେ ଧାର୍ମିକତା ଓ ନ୍ୟାୟ ପଥରେ ଯାଇ ତୁମ୍ଭକୁ ଅନୁସରଣ କରୁଥିବାରୁ ତୁମ୍ଭେ ତାଙ୍କୁ ମହାଦୟା କରିଥିଲ। ଆଉ ମଧ୍ୟ ତୁମ୍ଭେ ତାହାପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ୟାୟରେ ତାଙ୍କର ପୁତ୍ରକୁ ସିଂହାସନରେ ବସାଇଛ।
7 ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମୋର ପିତା ଦାଉଦଙ୍କ ପଦରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦେଖାଇବା ପାଇଁ ଅନଭିଜ୍ଞ।
8 ମୁଁ ତୁମ୍ଭର ଦାସ ତୁମ୍ଭର ମନୋନୀତ ଲୋକମାନଙ୍କ ମଧ୍ୟରେ ଅଛି। ସେମାନଙ୍କର ସଂଖ୍ୟା ଅଗଣନୀୟ। ତେଣୁ ଜଣେ ଶାସକ ନିଶ୍ଚୟ ବହୁତ ନିଷ୍ପତ୍ତି କରିବ।
9 ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୁଲ୍ ବାଛିବା ପାଇଁ ତୁମ୍ଭେ ମୋତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମୋତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ୟାୟ ସହିତ ଶାସନ ଓ ବିଗ୍ଭର କରିପାରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ୟାୟ କରି ପାରିବ?”
10 ଶଲୋମନଙ୍କ ଏହି ବିଷୟ ମାଗିବାରେ ସଦାପ୍ରଭୁ ତାଙ୍କ ପ୍ରତି ସନ୍ତୁଷ୍ଟ ହେଲେ।
11 ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ନିଜ ପାଇଁ ଦୀର୍ଘ ପରମାୟୁ ମାଗି ନାହଁ କି ନିଜ ପାଇଁ ବିପୁଳ ଐଶ୍ୱର୍ଯ୍ୟ ମାଗି ନାହଁ, କି ନିଜର ଶତ୍ରୁମାନଙ୍କର ମୃତ୍ୟୁ ମାଗି ନାହଁ, ମାତ୍ର ଲୋକମାନଙ୍କର ନ୍ୟାୟ ଶାସନ କରିବା ପାଇଁ ଜ୍ଞାନ ମାଗିଅଛ।
12 ତେଣୁ ତୁମ୍ଭେ ଯାହା ମାଗିଲ ଆମ୍ଭେ ତାହା ଦେବାକୁ ଯାଉଅଛୁ। ଆମ୍ଭେ ତୁମ୍ଭକୁ ଜ୍ଞାନି ଓ ବୁଦ୍ଧିମାନ କରାଇବା। ଆମ୍ଭେ ତୁମ୍ଭକୁ ଏପରି ମହତ୍ ଜ୍ଞାନ ଦେବା ଯେ, ଅତୀତରେ ତୁମ୍ଭ ସମାନ କେହି ନ ଥିଲେ କି ଭବିଷ୍ୟତରେ କେହି ହେବେ ନାହିଁ।
13 ଏହା ବ୍ୟତୀତ ତୁମ୍ଭେ ମାଗି ନ ଥିବା ଜିନିଷ ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ତୁମ୍ଭକୁ ପ୍ରଚୁର ସମ୍ପତ୍ତି ଓ ସମ୍ମାନ ଦେବା ଯେ ତୁମ୍ଭ ଜୀବନ କାଳରେ ପୃଥିବୀରେ କେହି ତୁମ୍ଭ ସମାନ ହେବେ ନାହିଁ।
14 ତୁମ୍ଭ ପିତା ଦାଉଦଙ୍କ ପରି ତୁମ୍ଭେ ଯଦି ଆମ୍ଭର ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବ ଓ ଆମ୍ଭକୁ ଅନୁସରଣ କରିବ, ତେବେ ଆମ୍ଭେ ତୁମ୍ଭକୁ ଦୀର୍ଘଜିବୀ କରିବା।”
15 ତା’ପରେ ଶଲୋମନ ଜାଗ୍ରତ ହେଲେ ଓ ଜାଣିଲେ ଯେ ପରମେଶ୍ୱର ତାଙ୍କୁ ସ୍ୱପ୍ନାଦେଶ କରିଛନ୍ତି। ତେଣୁ ସେ ଯିରୁଶାଲମକୁ ଯାଇ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ଦଣ୍ଡାୟମାନ ହୋଇ ହୋମବଳି ଉତ୍ସର୍ଗ କଲେ ଓ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ନିଜର କର୍ମଗ୍ଭରୀ ଓ ଅନୁଚରମାନଙ୍କୁ ଏକ ଭୋଜି ଦେଲେ।
ଶଲମୋନଙ୍କ ଜ୍ଞାନର ପ୍ରମାଣ
16 ଦିନେ ଦୁଇଜଣ ବେଶ୍ୟା ରାଜାଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ।
17 ଜଣେ ସ୍ତ୍ରୀଲୋକ କହିଲା, “ହେ ମୋର ମହାରାଜା, ଆମ୍ଭେ ଦୁଇଜଣ ଏକତ୍ର ଗୋଟିଏ ଛାତ ତଳେ ବାସ କରୁଥିଲୁ ଓ ଆମ୍ଭେ ଉଭୟେ ଗର୍ଭବତୀ ହୋଇଥିଲୁ। ସେହି ଘରେ ତା’ ସହିତ ବାସ କରୁଥିବା ବେଳେ ମୁଁ ଏକ ସନ୍ତାନ ପ୍ରସବ କଲି।
18 ମୋହର ପ୍ରସବର ତୃତୀୟ ଦିବସରେ ଏହି ସ୍ତ୍ରୀଲୋକ ମଧ୍ୟ ଏକ ସନ୍ତାନ ପ୍ରସବ କଲା। ସେହି ଘରେ ଆମ୍ଭ ଦୁହିଁଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକ ନ ଥିଲେ।
19 ଦିନେ ରାତ୍ରିରେ ଏହି ସ୍ତ୍ରୀଲୋକ ତା’ର ପିଲା ଉପରେ ଲଦି ହୋଇ ଶୋଇ ପଡ଼ିବାରୁ ତା’ର ପିଲାଟି ମରିଗଲା।
20 ତେଣୁ ସେହି ମଧ୍ୟରାତ୍ରିରେ ମୁଁ ଶୋଇଥିଲା ବେଳେ ସେ ମୋର ସନ୍ତାନକୁ ନେଇଯାଇ ତା’ର ମୃତ ସନ୍ତାନକୁ ମୋ’ କୋଳରେ ଶୁଆଇ ଦେଲା।
21 ପରଦିନ ପ୍ରଭାତରେ ମୁଁ ଯେତେବେଳେ ମୋର ସନ୍ତାନକୁ ସ୍ତନ୍ୟପାନ କରାଇବା ପାଇଁ ଉଠିଲି, ପିଲାଟି ମୃତ ପାଇଲି। ମୁଁ ଭଲକରି ନିରୀକ୍ଷଣ କରି ଜାଣିଲି, ସେ ମୋର ସନ୍ତାନ ନୁହେଁ।”
22 କିନ୍ତୁ ଅନ୍ୟ ସ୍ତ୍ରୀଲୋକଟି କହିଲା, “ନା, ଜୀବିତ ସନ୍ତାନଟି ମୋର ପୁଅ ଓ ମୃତ ସନ୍ତାନଟି ତୁମ୍ଭର ପୁଅ।”
ମାତ୍ର ପ୍ରଥମ ସ୍ତ୍ରୀ କହିଲା, “ନା, ତୁମ୍ଭେ ଭୁଲ୍ କହୁଛ, ମୃତ ସନ୍ତାନଟି ତୁମ୍ଭର ପୁଅ ଓ ଜୀବିତ ସନ୍ତାନଟି ମୋର ପୁଅ।” ଏହିପରି ସେମାନେ ରାଜାଙ୍କ ସମ୍ମୁଖରେ ଗୁହାରି କଲେ।
23 ତତ୍ପରେ ରାଜା ଶଲୋମନ କହିଲେ, “ତୁମ୍ଭେ ଉଭୟ ଜୀବିତ ସନ୍ତାନଟିକୁ ନିଜର ଓ ମୃତ ସନ୍ତାନଟି ଅନ୍ୟର ବୋଲି କହୁଛ।”
24 ଏଣୁ ରାଜା ଶଲୋମନ ଗୋଟିଏ ଖଡ଼୍ଗ ଆଣିବାକୁ ଜଣେ ଦାସକୁ ଆଦେଶ କଲେ।
25 ପୁଣି ରାଜା କହିଲେ, “ଏହି ଜୀବିତ ସନ୍ତାନଟିକୁ ଦୁଇଖଣ୍ତ କରି କାଟି ଜଣକୁ ଅଧେ ଓ ଅନ୍ୟ ଜଣକୁ ଅଧେ ଦେଇଦିଅ।”
26 ଦ୍ୱିତୀୟ ସ୍ତ୍ରୀଲୋକଟି କହିଲା, “ତାହା ଅତି ଉତ୍ତମ କଥା, ପିଲାଟିକୁ ଦୁଇଖଣ୍ତ କରିଦିଅ। ପିଲାଟି ଆମ୍ଭ ଦୁଇଜଣଙ୍କର କାହାରି ହେବ ନାହିଁ।” ମାତ୍ର ପ୍ରଥମ ସ୍ତ୍ରୀଲୋକ ଯିଏ ପିଲାଟିର ପ୍ରକୃତ ମା, ତା’ର ଅନ୍ତଃକରଣ ପିଲାଟି ପ୍ରତି ବିଳପି ଉଠିଲା। ତେଣୁ ସେ ରାଜାଙ୍କୁ କହିଲା, “ହେ ମୋର ମହାରାଜ, ଜୀବିତ ପିଲାଟିକୁ ତାକୁ ଦେଇ ଦିଅନ୍ତୁ, କିନ୍ତୁ କୌଣସି ମତେ ତାକୁ ବଧ କରନ୍ତୁ ନାହିଁ।”
27 ତା’ପରେ ରାଜା ଶଲୋମନ କହିଲେ, “ପ୍ରଥମ ସ୍ତ୍ରୀଲୋକଟି ହେଉଛି ଜୀବିତ ପିଲାର ପ୍ରକୃତ ମା, ପିଲାଟିକୁ ତାକୁ ଦିଅ।” ତାକୁ ହତ୍ୟା କର ନାହିଁ।
28 ଇସ୍ରାଏଲର ସମଗ୍ର ଲୋକେ ରାଜାଙ୍କର ନ୍ୟାୟ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସେମାନେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦୟରେ ପରମେଶ୍ୱରଙ୍କ ଦତ୍ତ ଜ୍ଞାନ ରହିଛି।