41
“ଆୟୁବ ତୁମ୍ଭେ ବନଶୀ କଣ୍ଟାରେ ଲିବିୟାଥନକୁ ଧରି ପାରିବ କି?
ତୁମ୍ଭେ ତା’ର ଜିଭକୁ ରସିରେ ବାନ୍ଧିପାରିବ କି?
ତୁମ୍ଭେ ତା’ ନାକରେ ରସି ପୁରାଇ ପାରିବ କି?
ତା’ର ଦାନ୍ତ ମାଢ଼ିରେ ଅଙ୍କୁଶ ପୁରାଇ ପାରିବ କି?
ଲିବିୟାଥନ ତୁମ୍ଭକୁ ଭିକ୍ଷା କରିବ କି ତାକୁ ମୁକୁଳାଇବା ପାଇଁ?
ସେ ତୁମ୍ଭକୁ କୋମଳ ଶବ୍ଦରେ କଥା କହିବ କି?
ଲିବିୟାଥନ ତୁମ୍ଭ ସହିତ ଚୁକ୍ତି କରିବ କି?
ଏବଂ ତୁମ୍ଭ ସହିତ ଚିରଦିନ ରହିବାକୁ ପ୍ରତିଜ୍ଞା କରିବ କି?
ତୁମ୍ଭେ ଲିବିୟାଥନ ସହିତ ଖେଳିପାରିବ କି? ତୁମ୍ଭେ ପକ୍ଷୀ ସହିତ ଖେଳିଲା ଭଳି ତା’ ସହିତ ଖେଳି ପାରିବ କି?
ତୁମ୍ଭେ ତାକୁ ଏକ ରସିରେ ବାନ୍ଧି ତୁମ୍ଭର ଦାସୀକୁ ତା’ ସହିତ ଖେଳାଇ ପାରିବ କି?
କୈବର୍ତ୍ତ ତୁମ୍ଭଠାରୁ ତାକୁ କିଣିବାକୁ ଚେଷ୍ଟା କରିବ କି?
ସେମାନେ ତାକୁ ଖଣ୍ଡ ଖଣ୍ଡ କରି କାଟି ତାକୁ ବ୍ୟବସାୟୀମାନଙ୍କୁ ବିକିବେ କି?
ତୁମ୍ଭେ ତା’ର ଚମଡ଼ା ଓ ମୁଣ୍ଡକୁ ବର୍ଚ୍ଛା ମାରିପାରିବ କି?
“ଆୟୁବ, ତୁମ୍ଭେ ଯଦି ଥରେ ମାତ୍ର ଲିବିୟାଥନ ଉପରେ ହାତ ରଖ,
ତୁମ୍ଭେ କେବେ ଆଉଥରେ କରିବ ନାହିଁ! ଭାବ ସେ କି ପ୍ରକାର ଯୁଦ୍ଧ ହେବ।
ତୁମ୍ଭେ କ’ଣ ଭାବୁଛ ତୁମ୍ଭେ ତାକୁ ପରାସ୍ତ କରି ପାରିବ?
ଭୁଲି ଯାଅ! କୌଣସି ଭରସା ନାହିଁ!
ତା’ ପ୍ରତି ଅନାଇଲେ ତୁମ୍ଭେ ଭୟଭୀତ ହେବ।
10 କୌଣସି ମନୁଷ୍ୟ ଏତେ ସାହସୀ ନୁହେଁ ଯେ
ତାକୁ ଉଠାଇବ ଓ ରଗାଇବ।
“ଏବଂ କେଉଁ ମନୁଷ୍ୟ ତା’ ବିରୁଦ୍ଧରେ ଠିଆ ମଧ୍ୟ ହୋଇ ପାରିବ ନାହିଁ।
11 କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ,
ସ୍ୱର୍ଗରେ ଯାହାକିଛି ଅଛି, ସେ ସବୁ ମୋର ଅଧୀନ ଅଟେ।
12 “ମୁଁ ତୁମ୍ଭକୁ ଲିବିୟାଥନର ଗୋଡ଼,
ତା’ର ବଳ ଓ ମନୋହର ଆକାର ବିଷୟରେ କିଛି କହିବି।
13 କୌଣସି ବ୍ୟକ୍ତି ତା’ର ଚର୍ମକୁ କଣା କରି ପାରିବେ ନାହିଁ।
ତା’ର ଚର୍ମ ଯୁଦ୍ଧସଜ୍ଜା ସ୍ୱରୂପ।
14 କୌଣସି ବ୍ୟକ୍ତି ତା’ର ମାଢ଼ିକୁ ଖୋଲିବାକୁ ସକ୍ଷମ ହେବ ନାହିଁ।
ତା’ର ଦାନ୍ତ ଲୋକଙ୍କୁ ଭୟଭୀତ କରେ।
15 ତା’ର ପିଠି ଧାର ଧାର ଢାଲ ପରି,
ଯାହାକି ଦୃଢ଼ ଭାବରେ ସଂଯୁକ୍ତ ହୋଇଥାଏ।
16 ସେଗୁଡ଼ିକ ଏତେ ପାଖାପାଖି ଥାଏ
ତା’ ମଧ୍ୟରେ ପବନ ମଧ୍ୟ ପଶିପାରେ ନାହିଁ।
17 ସେଗୁଡ଼ିକ ଗୋଟିଏ ଅନ୍ୟ ସହିତ ସଂଯୁକ୍ତ ଅଛି।
ସେସବୁ ଏମିତି ଏକତ୍ର ଲାଗି ରହିଛି ଯେ ତାକୁ ଅଲଗା କରାଯାଇ ପାରିବ ନାହିଁ।
18 ଯେତେବେଳେ ସେ ଛିଙ୍କେ, ସେଥିରୁ ବିଜୁଳି ସଦୃଶ ଆଲୁଅ ବାହାରେ,
ତା’ର ଚକ୍ଷୁ ପ୍ରାତଃକାଳର ଆଲୁଅ ପରି ଝଟକେ।
19 ତା’ର ମୁଖରୁ ଜ୍ୱଳନ୍ତ ଅଗ୍ନିକଣାର ମଶାଲ ବିଦ୍ୟୁତ୍ ପରିବାହକ ଦ୍ୱାରା
ଉତ୍ପନ୍ନ ଆଲୋକରେ ଝଲକ ନିଃସୃତ ହୁଏ।
20 ତା’ର ନାକରୁ ଧୂଆଁ ବାହାରେ
ସତେ ଯେମିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହାରେ।
21 ତା’ର ନିଶ୍ୱାସ ଅଙ୍ଗାରକୁ ଜଳାଇ ପାରେ।
ତା’ ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ।
22 ତା’ର ବେକ ବହୁତ ଶକ୍ତିଶାଳୀ।
ଲୋକେ ତାକୁ ଦେଖିବା ମାତ୍ରେ ତା’ ନିକଟରୁ ଦୌଡ଼ି ପଳାଇଯା’ନ୍ତି।
23 ତା’ର ଚମଡ଼ାର କୌଣସି ସ୍ଥାନ ଦୁର୍ବଳ ନୁହେଁ,
ଏହା ଲୁହାଭଳି ଶକ୍ତ।
24 ତା’ର ହୃତପିଣ୍ଡ ପଥର ସଦୃଶ।
ଏହା ପେଷଣଶାଳାର ତଳ ପଥର ସଦୃଶ।
25 ସେ ଯେତେବେଳେ ଉଠେ, ବଳବାନ ଲୋକମାନେ ମଧ୍ୟ ଭୟଭୀତ ହୋଇଯା’ନ୍ତି।
ସେ ଯେତେବେଳେ ଲାଞ୍ଜ ବୁଲାଏ ସେମାନେ ଦୌଡ଼ି ପଳାନ୍ତି।
26 ଖଣ୍ଡା, ବର୍ଚ୍ଛା, ଏବଂ ଶୂଳ ଲିବିୟାଥନକୁ ବାଜେ, କିନ୍ତୁ କେବଳ ସେସବୁ ଡେଇଁ ପଡ଼ି ଫେରି ଆସେ।
ସେହି ଅସ୍ତ୍ର ତାହାକୁ ଟିକେ ବି ଆଘାତ କରେ ନାହିଁ।
27 ସେ ଲୁହାକୁ କୁଟା ସଦୃଶ ଭାଙ୍ଗି ପକାଏ।
ଏହା ତମ୍ବାକୁ ପଗ୍ଭକାଠ ପରି ଭାଙ୍ଗି ପକାଏ।
28 ତୀର ତାହାକୁ ଦଉଡ଼ାଇ ପାରେ ନାହିଁ।
ପଥର ଡେଇଁ ପଡ଼ି କୁଟା ପରି ଫେରି ଆସେ।
29 ଯେତେବେଳେ ଗୋଟିଏ କାଠଗଡ଼ ତାକୁ ଆଘାତ କରେ, ସେ ଅନୁଭବ କରେ ଯେପରି ଏକ କୁଟା ତା’ ଦେହରେ ଲାଗିଲା।
ସେ ଅଟ୍ଟହାସ୍ୟ କରେ ଯେତେବେଳେ ଲୋକ ତାକୁ ବର୍ଚ୍ଛା ଫିଙ୍ଗନ୍ତି।
30 ତା’ର ତଳ ପେଟର ଚମଡ଼ା ଶକ୍ତ ଭଙ୍ଗା ଖପରା ସଦୃଶ।
ସେ କାଦୁଅରେ ଘୋଷାରି ହୋଇ ଗଲାବେଳେ ବେଙ୍ଗଳାରେ ବାଡ଼େଇବା ପରି ଚିହ୍ନ ଛାଡ଼ିଯାଏ।
31 ଲେବିୟାଥନ ପାଣିକୁ ଘାଣ୍ଟେ ହାଣ୍ଡି ଜଳ ଫୁଟିବା ପରି।
ସେ ଫୋଟକା ତିଆରି କରେ, ଯେପରି ଗୋଟିଏ ହାଣ୍ଡି ରେ ତେଲ ଫୁଟେ।
32 ଲେବିୟାଥନ ଯେତେବେଳେ ତହିଁରେ ତା’ ପଛେ ପଛେ ପଥ ଛାଡ଼ିଯାଏ।
ସେ ପାଣିକୁ ଘାଣ୍ଟି ପକାଏ ଏବଂ ତା’ ପଛ ଆଡ଼େ ଧଳାଫେଣ ଛାଡ଼ିଯାଏ।
33 ପୃଥିବୀରେ ଲିବିୟାଥନ ପରି ଆଉ ଦ୍ୱିତୀୟ ଜୀବ ନାହିଁ।
ସେ ଏଭଳି ଏକ ପ୍ରାଣୀ, ଯେକି କାହାରିକୁ ଭୟ କରେ ନାହିଁ।
34 ଲେବିୟାଥନ ସବୁଠାରୁ ଗର୍ବୀ ପଶୁକୁ ବି ନୀଚ୍ଚ ଭାବରେ ଦେଖେ।
ସେସବୁ ବଣୁଆ ଜନ୍ତୁମାନଙ୍କ ଉପରେ ରାଜା ଅଟେ ଓ ମୁଁ ସେହି ଲେବିୟାଥନକୁ ସୃଷ୍ଟି କରିଛି।”