ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
47
1 “ଆଗୋ ବାବିଲର ଅନୁଢ଼ା କନ୍ୟା, ତଳକୁ ଓହ୍ଲାଇ ଆସି ଧୂଳିରେ ବସ;
ଆଗୋ କଲ୍ଦୀୟର କନ୍ୟା, ସିଂହାସନ ଛାଡ଼ି ଭୂମିରେ ବସ।
କାରଣ ତୁମ୍ଭେମାନେ ଆଉ କୋମଳ
ଓ କୁଆଁରୀକନ୍ୟା ବୋଲି ଖ୍ୟାତ ହେବ ନାହିଁ।
2 ପେଷଣା ପଥରରେ ଶସ୍ୟ ପେଷ,
ତୁମ୍ଭର ଓଢ଼ଣି କାଢ଼, ତୁମ୍ଭର ଜାମା କାଢ଼ି ପକାଅ,
ପାଦ ଅନାବୃତ କର।
ନଦୀ ଓ ଛୋଟ ନଦୀରେ ଗ୍ଭଲିକରି ଯାଅ।
3 ତୁମ୍ଭର ଉଲଙ୍ଗତା ପ୍ରକାଶିତ ହେବ
ଓ ତୁମ୍ଭର ଲଜ୍ଜାର ବିଷୟ ଦୃଶ୍ୟ ହେବ;
ଆମ୍ଭେ ପ୍ରତିଶୋଧ ନେଲା ବେଳେ
କେହି ତୁମ୍ଭର ସୁରକ୍ଷା ନିମନ୍ତେ ଆସିବେ ନାହିଁ।
4 “ମୋର ସନ୍ତାନଗଣ କୁହନ୍ତି, ‘ଆମ୍ଭମାନଙ୍କର ମୁକ୍ତିଦାତା
ଇସ୍ରାଏଲର ଧର୍ମସ୍ୱରୂପ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ।’”
5 “ଆଗୋ କଲ୍ଦୀୟ କନ୍ୟାଗଣ,
ତୁମ୍ଭେମାନେ ଅନ୍ଧାରକୁ ଯାଇ ନୀରବରେ ବସ।
କାରଣ ତୁମ୍ଭେମାନେ ‘ରାଜ୍ୟର ଆଉ ରାଣୀ’ ବୋଲି କଥିତ ହେବ ନାହିଁ।
6 “ଆମ୍ଭେ ନିଜ ଲୋକମାନଙ୍କ ଉପରେ କ୍ରୋଧିତ ହେଲୁ।
ଆପଣା ଅଧିକାରକୁ ଅପବିତ୍ର କଲୁ
ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପର କଲୁ।
ତୁମ୍ଭେ ସେମାନଙ୍କ ପ୍ରତି ଦୟା ପ୍ରକାଶ କଲ ନାହିଁ।
ତୁମ୍ଭେ ବୃଦ୍ଧଲୋକ ଉପରେ ଯୁଆଳି
ବଡ଼ ଭାରି କରି ଥୋଇଲ।
7 ତୁମ୍ଭେ କହିଲ, ‘ଆମ୍ଭେ ଚିରଦିନ ବଞ୍ଚିଲୁ
ଓ ସଦାକାଳ ସାଆନ୍ତାଣୀ ହୋଇ ରହିବୁ।’
ଏଣୁ ତୁମ୍ଭେ ଏସବୁ ବିଷୟରେ ମନୋଯୋଗ କଲ ନାହିଁ
କିମ୍ବା ତା’ର ଶେଷଫଳ କ’ଣ ହେବ ସ୍ମରଣ କଲ ନାହିଁ।
8 ହେ ସୁଖଭୋଗିନୀ! ଏବେ ଏହା ଶୁଣ,
ତୁମ୍ଭେମାନେ ନିରାପଦରେ ବାସ କରି ନିଜେ ନିଜେ କହୁଅଛ,
‘ଆମ୍ଭେ ମହାନ, ଆମ୍ଭ ଛଡ଼ା ଆଉ କେହି ନାହିଁ।
ଆମ୍ଭେ ବିଧବାପରି ବସିବା ନାହିଁ କିମ୍ବା ଆମ୍ଭେ ସନ୍ତାନ ବିଚ୍ଛେଦ ଜାଣିବା ନାହିଁ।’
9 ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତରେ ଘଟିବ।
ପ୍ରଥମେ ସନ୍ତାନ ବିରହ ଓ ପରେ ବୈଧବ୍ୟ ତୁମ୍ଭ ପ୍ରତି ଘଟିବ।
ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାୟାବୀତ୍ୱ କିଛି ସାହାଯ୍ୟ କରିବ ନାହିଁ।
ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ।
10 ତୁମ୍ଭେ ତୁମ୍ଭର ଦୁଷ୍ଟତା ଓ ମନ୍ଦକର୍ମ ଉପରେ ନିର୍ଭର କରି ନିଜକୁ ନିରାପଦ ମଣୁଅଛ;
ତୁମ୍ଭେ ଭାବୁଛ, ‘କେହି ତୁମ୍ଭକୁ ଦେଖୁ ନାହିଁ।’
ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମ୍ଭକୁ ବିପଥଗାମୀ କରିଅଛି;
ତୁମ୍ଭେ ନିଜକୁ ‘ମହାନ ବୋଲି ଭାବୁଛ,
ଆମ୍ଭ ଛଡ଼ା କେହି ନାହିଁ ବୋଲି କହୁଅଛ।’
11 “ତେଣୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ;
ତୁମ୍ଭେ ଜାଣିବ ନାହିଁ ଏହା କେତେବେଳେ ଘଟିବ।
ତୁମ୍ଭ ଉପରେ ବିପଦ ପଡ଼ିବ ମାତ୍ର ତୁମ୍ଭେ ତାହା ଦୂର କରି ପାରିବ ନାହିଁ।
ତୁମ୍ଭେ ଏତେ ଶୀଘ୍ର ବିନାଶ ହେବ, ତାହା ତୁମ୍ଭେ ଜାଣିବ ନାହିଁ।
12 ବର୍ତ୍ତମାନ ତୁମ୍ଭେମାନେ ମାୟାବୀ ଯାଦୁବିଦ୍ୟା ଉପରେ ନିର୍ଭର କର,
ଯାହା ତୁମ୍ଭେମାନେ ଶିଖିବାକୁ ବହୁତ ପରିଶ୍ରମ କର।
ତୁମ୍ଭେମାନେ ସେଗୁଡ଼ିକୁ ବ୍ୟବହାରରେ ଲଗାଇପାର
କିମ୍ବା ସେଥିପାଇଁ ତୁମ୍ଭେମାନେ ଜିତିପାର।
13 ତୁମ୍ଭର ତ ବହୁ ଉପଦେଷ୍ଟା ଅଛନ୍ତି।
ତୁମ୍ଭେ ଆପଣାର ଅପାର ମନ୍ତ୍ରଣାରେ କ୍ଳାନ୍ତ ହୋଇଅଛ।
ଏବେ ସେହି ଜ୍ୟୋତିଷମାନେ,
ନକ୍ଷତ୍ରଦର୍ଶିମାନେ, ମାସିକ ଶୁଭାଶୁଭ ଗଣନାକାରୀମାନେ ଛିଡ଼ା ହୁଅନ୍ତୁ
ଓ ତୁମ୍ଭ ପ୍ରତି ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।
14 “ସେମାନେ ତ ନିଜକୁ ରକ୍ଷା କରି ପାରିବେ ନାହିଁ,
ସେମାନେ କୁଟାପରି ଅଗ୍ନିରେ ଦଗ୍ଧିଭୂତ ହେବେ।
ସେମାନେ ଅଗ୍ନିଶିଖାର ବଳରୁ ନିଜକୁ ଉଦ୍ଧାର କରି ପାରିବେ ନାହିଁ।
ତାହା ଏପରି ଦଗ୍ଧିଭୂତ ହେବ ଯେକୌଣସି ଅଙ୍ଗାର ରହିବ ନାହିଁ, ଫଳରେ ଉଷ୍ଣ ହେବାକୁ ତାହା ରହିବ ନାହିଁ।
15 ଯେଉଁ ବିଷୟ ପ୍ରତି ତୁମ୍ଭେ ପରିଶ୍ରମ କରିଅଛ, ସେ ସବୁ ତୁମ୍ଭ ପ୍ରତି ଏହିପରି ଘଟିବ।
ଯେଉଁମାନେ ଯୌବନରୁ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି,
ସେମାନେ ପ୍ରତ୍ୟେକ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ,
ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।”