ଇସ୍ହାକଙ୍କୁ ଯାକୁବର ପ୍ରବଞ୍ଚନା
27
1 ଇସ୍ହାକ ବୃଦ୍ଧ ହେଲା ପରେ ତାଙ୍କ ଆଖିକୁ ଭଲ ଦେଖା ଗଲା ନାହିଁ। ଦିନେ ସେ ତାଙ୍କର ବଡ଼ ପୁତ୍ର ଏଷୌକୁ ପାଖକୁ ଡାକି କହିଲେ, “ହେ ପୁତ୍ର” ଏଷୌ!
ସେ ଉତ୍ତର ଦେଲେ, “ମୁଁ ଏହିଠାରେ,”
2 ଇସ୍ହାକ କହିଲେ, “ମୁଁ ବୃଦ୍ଧ। ମୁଁ ଜାଣିନି, କେବେ ମରିବିା
3 ତେଣୁ ତୁମ୍ଭେ ତୁମ୍ଭର ଧନୁ ଏବଂ ଶର ନେଇ ଶିକାର କରିବାକୁ ଯାଅ। ମୋ’ ଖାଦ୍ୟ ପାଇଁ ଏକ ମୃଗ ଶିକାର କର।
4 ମୁଁ ଯେଉଁ ପରି ଖାଦ୍ୟକୁ ଭଲ ପାଏ ସେହିପରି ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ’ ପାଇଁ ଆଣ। ତହିଁରେ ମୋର ମୃତ୍ୟୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।”
5 ତେଣୁ ଏଷୌ ଶିକାରକୁ ଗଲେ।
ରିବିକା ଏହିକଥା ଶୁଣୁଥିଲେ ଯେତେବେଳେ ଇସ୍ହାକ ତାଙ୍କର ବଡ଼ପୁଅ ଏଷୌକୁ କହୁଥିଲେ।
6 ରିବିକା ତାଙ୍କର ପୁତ୍ର ଯାକୁବକୁ କହିଲେ, “ଶୁଣ, ତୁମ୍ଭର ପିତା ଏଷୌକୁ କହିବାର କଥା ମୁଁ ଶୁଣିଛି।
7 ତୁମ୍ଭର ପିତା କହିଲେ, ‘ମୋ’ ପାଇଁ ମୃଗୟା ମାଂସ ରାନ୍ଧି କରି ମୋତେ ଖୁଆଅ। ମୋ’ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଆଣ, ମୁଁ ତାହା ଖାଇ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।’
8 ତେଣୁ ପୁତ୍ର, ମୋର କଥା ଶୁଣ। ମୁଁ ଯେପରି କହୁଛି ସେହିପରି କର।
9 ଆମ୍ଭର ଗୋଠରୁ ଦୁଇଟି ଯୁବା ଛେଳି ଆଣ। ତୁମ୍ଭର ପିତାଙ୍କର ରୁଚି ମୁତାବକ ଖାଦ୍ୟ ମୁଁ ପ୍ରସ୍ତୁତ କରି ଦେବି।
10 ଏହା ପରେ ତୁମ୍ଭେ ତୁମ୍ଭ ପିତାଙ୍କ ନିକଟକୁ ଖାଦ୍ୟ ନେଇ ଯିବ। ଏବଂ ସେ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ ଦେବେ।”
11 କିନ୍ତୁ ଯାକୁବ ତା’ର ମାତା ରିବିକାକୁ କହିଲେ, “ମୋର ଭାଇ ଏଷୌ ଲୋମଶ ଶରୀର। ମୁଁ ତାଙ୍କ ପରି ଲୋମଶ ନୁହେଁ।
12 ଯଦି ମୋର ପିତା ମୋତେ ସ୍ପର୍ଶ କରନ୍ତି। ସେ ଜାଣି ପାରିବେ ଯେ ମୁଁ ଏଷୌ ନୁହେଁ। ତା’ପରେ ସେ ମୋତେ ଆଶୀର୍ବାଦ କରିବା ପରିବର୍ତ୍ତେ ଅଭିଶାପ ଦେବେ। କାରଣ ମୁଁ ତାଙ୍କୁ ପ୍ରବଞ୍ଚନା କରିବାକୁ ଚେଷ୍ଟା କରୁଛି।”
13 ତେଣୁ ରିବିକା ତାଙ୍କୁ କହିଲେ, “ଯଦି କିଛି ସମସ୍ୟା ଆସେ ତେବେ ମୁଁ ସହିନେବି। ମୁଁ ଯାହା କହୁଛି ତୁମ୍ଭେ ସେହିପରି କର। ଯାଅ ମୋ’ ପାଇଁ ଛେଳି ଧରି ଆସ।”
14 ତେଣୁ ଯାକୁବ ଯାଇ ଦୁଇଟି ଛେଳି ଆଣି ତାଙ୍କର ମାଙ୍କୁ ଦେଲେ। ଏହା ପରେ ତାଙ୍କର ମା’ ତାଙ୍କ ପିତାଙ୍କର ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କଲେ।
15 ରିବିକା ତାଙ୍କର ବଡ଼ପୁଅର ପୋଷାକ, ଯାହା ଘରେ ତାଙ୍କ ନିକଟରେ ଥିଲା, ନେଇ ଆଣି ତା’ର ସାନ ପୁଅ ଯାକୁବକୁ ସେହି ବସ୍ତ୍ର ପିନ୍ଧାଇ ଦେଲେ।
16 ରିବିକା ଛେଳି ଚମଡ଼ା ଆଣି ଯାକୁବର ହାତରେ ଏବଂ ତାଙ୍କ ଗଳାଦେଶରେ ଗୁଡ଼ାଇ ଦେଲେ।
17 ଏହା ପରେ ରିବିକା ପ୍ରସ୍ତୁତ ଖାଦ୍ୟକୁ ଆଣି ଯାକୁବକୁ ଦେଲେ।
18 ଯାକୁବ ତାଙ୍କର ପିତାଙ୍କ ନିକଟକୁ ଯାଇ କହିଲେ, “ପିତା”।
ତାଙ୍କର ପିତା କହିଲେ, “ହଁ ପୁତ୍ର, ତୁମ୍ଭେ କିଏ?”
19 ଯାକୁବ ତାଙ୍କର ପିତାଙ୍କୁ କହିଲେ, “ମୁଁ ଏଷୌ, ତୁମ୍ଭର ପ୍ରଥମ ସନ୍ତାନ ଅଟେ। ତୁମ୍ଭର ବାକ୍ୟ ଅନୁସାରେ ମୁଁ କରିଛି। ବର୍ତ୍ତମାନ ବସି ଶିକାର ମାଂସ ଭୋଜନ କରି ମୋତେ ଆଶୀର୍ବାଦ କର।”
20 କିନ୍ତୁ ଇସ୍ହାକ ତାଙ୍କ ପୁତ୍ରଙ୍କୁ କହିଲେ, “ତୁମ୍ଭେ ଏତେ ଶୀଘ୍ର ଶିକାରରୁ କିପରି ଫେରିଲ?”
ଯାକୁବ ଉତ୍ତର ଦେଲେ, “କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ମୋତେ ତାହା ଶୀଘ୍ର ଭେଟାଇ ଦେଲେ।”
21 ଏହା ପରେ ଇସ୍ହାକ ଯାକୁବକୁ କହିଲେ, “ପୁତ୍ର, ମୋର ପାଖକୁ ଆସ ତେବେ ମୁଁ ଜାଣି ପାରିବି। ଯଦି ମୁଁ ତୁମ୍ଭକୁ ସ୍ପର୍ଶ କରେ ତେବେ ମୁଁ ଜାଣି ପାରିବି ଯେ ତୁମ୍ଭେ ମୋର ପୁତ୍ର ଏଷୌ କି ନୁହେଁ।”
22 ତେଣୁ ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ। ଇସ୍ହାକ ସ୍ପର୍ଶ କରି କହିଲେ, “ତୁମ୍ଭର ସ୍ୱର ଯାକୁବର ସ୍ୱର ପରି କିନ୍ତୁ ତୁମ୍ଭର ହାତ ଲୋମଶ ଠିକ୍ ଏଷୌର ହାତ ପରି।”
23 ଇସ୍ହାକ ତାଙ୍କୁ ଚିହ୍ନି ପାରିଲେ ନାହିଁ, କାରଣ ତା’ର ହାତଗୁଡ଼ିକ ଏଷୌର ଲୋମଶ ହାତ ପରି। ତେଣୁ ସେ ତାଙ୍କୁ ଆଶୀର୍ବାଦ କଲେ।
24 ଇସ୍ହାକ କହିଲେ, “ତୁମ୍ଭେ କ’ଣ ମୋର ପୁତ୍ର ଏଷୌ?”
ଯାକୁବ ଉତ୍ତର ଦେଲେ, “ହଁ ମୁଁ ଏଷୌ।”
ଯାକୁବଙ୍କ ପାଇଁ ଆଶୀର୍ବାଦ
25 ଏହା ପରେ ଇସ୍ହାକ କହିଲେ, “ସେହି ଖାଦ୍ୟ ମୋ’ ପାଇଁ ଆଣ। ମୁଁ ତାହାକୁ ଖାଇ ତୁମ୍ଭକୁ ଆଶୀର୍ବାଦ ଦେବି।” ତେଣୁ ଯାକୁବ ତାଙ୍କୁ ଖାଦ୍ୟ ଦେଲେ ଏବଂ ସେ ତାକୁ ଖାଇଲେ। ଏବଂ ଯାକୁବ ତାଙ୍କୁ ଦ୍ରାକ୍ଷାରସ ଦେଲେ, ସେ ତାହା ପିଇଲେ।
26 ଏହା ପରେ ଇସ୍ହାକ ତାଙ୍କୁ କହିଲେ, “ମୋର ପୁତ୍ର ମୋ’ ପାଖକୁ ଆସ ମୋତେ ଚୁମ୍ବନ ଦିଅ।”
27 ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଇସ୍ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇସ୍ହାକ ତାଙ୍କୁ ଆଶୀର୍ବାଦ ଦେଇ କହିଲେ,
“ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ
ମୋ’ ପୁତ୍ରର ସୁଗନ୍ଧି।
28 ସଦାପ୍ରଭୁ ତୁମ୍ଭକୁ ଯଥେଷ୍ଟ ବର୍ଷା ଦିଅନ୍ତୁ।
ତେଣୁ ତୁମ୍ଭେ ବହୁତ ଫସଲ ଓ ଦ୍ରାକ୍ଷାରସ ପାଇବ।
29 ସବୁ ଲୋକ ତୁମ୍ଭର ସେବା କରନ୍ତୁ।
ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ।
ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର।
ତୁମ୍ଭର ମା’ର ସନ୍ତାନ ତୁମ୍ଭକୁ ମାନୁ।
ଯେ ତୁମ୍ଭକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ।
ଯେ ତୁମ୍ଭକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ।”
ଏଷୌ ତାଙ୍କ ପିତାଙ୍କର “ଆଶୀର୍ବାଦ” ଗ୍ଭହେଁ
30 ଇସ୍ହାକ ଯାକୁବକୁ ଆଶୀର୍ବାଦ ଦେଇ ସାରିଲେ। ଏହା ପରେ ସେ ସେହି ସ୍ଥାନ ପରିତ୍ୟାଗ କଲେ। ଏହି ସମୟରେ ଏଷୌ ଶିକାରରୁ ଫେରିଲେ।
31 ତାଙ୍କର ପିତାଙ୍କ ରୁଚି ଅନୁସାରେ ସେ ଖାଦ୍ୟ ପ୍ରସ୍ତୁତ କଲେ। ଏବଂ ତାହା ତାଙ୍କ ପିତାଙ୍କ ନିକଟକୁ ଆଣିଲେ। ସେ ତାଙ୍କ ପିତାଙ୍କୁ କହିଲେ, “ପିତା, ମୁଁ ତୁମ୍ଭର ପୁତ୍ର, ଉଠ ଏବଂ ମାଂସ ଖାଅ, ମୁଁ ତାହା ତୁମ୍ଭ ପାଇଁ ରାନ୍ଧି ଆଣିଛି। ତା’ପରେ ତୁମ୍ଭେ ମୋତେ ଆଶୀର୍ବାଦ କରିବ।”
32 କିନ୍ତୁ ଇସ୍ହାକ ତାଙ୍କୁ କହିଲେ, “ତୁମ୍ଭେ କିଏ?”
ସେ ଉତ୍ତର ଦେଲେ, “ମୁଁ ତୁମ୍ଭର ପ୍ରଥମ ପୁତ୍ର ଏଷୌ ଅଟେ।”
33 ଏହା ପରେ ଇସ୍ହାକ ବହୁତ ବ୍ୟସ୍ତ ହେଲେ ଏବଂ କହିଲେ, “ତେବେ ସିଏ କିଏ ଥିଲା, ଯେ ପ୍ରଥମେ ତୁମ୍ଭ ପୂର୍ବରୁ ରନ୍ଧାମାଂସ ଧରି ଆସିଥିଲା? ମୁଁ ତାହା ଖାଇ ତାଙ୍କୁ ଆଶୀର୍ବାଦ କଲି। ବର୍ତ୍ତମାନ ମୋର ଆଶୀର୍ବାଦ ଫେରାଇବା ପାଇଁ ଡେରି ହୋଇଛି।”
34 ଏଷୌ ପିତାଙ୍କର କଥା ଶୁଣିଲେ! ସେ ବହୁତ ରାଗିଗଲେ ଏବଂ ଚିତ୍କାର କଲେ। ସେ ତାଙ୍କ ପିତାଙ୍କୁ କହିଲେ, “ତେବେ ମୋତେ ଆଶୀର୍ବାଦ କର ପିତା”
35 ଇସ୍ହାକ କହିଲେ, “ତୁମ୍ଭର ଭାଇ ମୋତେ ପ୍ରବଞ୍ଚନା କଲା। ସେ ଆସି ତୁମ୍ଭର ଆଶୀର୍ବାଦ ନେଇଗଲା।”
36 ଏଷୌ କହିଲେ, “ତା’ର ନାମ ହେଲା ଯାକୁବ ତାହା କ’ଣ ଯଥାର୍ଥ ନୁହେଁ। ସେ ମୋତେ ଦୁଇଥର ପ୍ରବଞ୍ଚନା କଲା। ସେ ମୋର ଜ୍ୟେଷ୍ଠ ଅଧିକାର ଛଡ଼ାଇ ନେଲା। ଏବଂ ମୋର ଆଶୀର୍ବାଦ ନେଇଗଲା।” ଏହା ପରେ ଏଷୌ କହିଲେ, “ମୋ’ ପାଇଁ କିଛି ଆଶୀର୍ବାଦ ରଖିଛ କି?”
37 ଇସ୍ହାକ ଉତ୍ତର ଦେଲେ, “ହୋଇଗଲା, ତୁମ୍ଭକୁ ଶାସନ କରିବା ପାଇଁ, ମୁଁ ଯାକୁବକୁ କ୍ଷମତା ଦେଲି। ଏବଂ ମୁଁ ତାଙ୍କୁ କହିଲି ତୁମ୍ଭର ସମସ୍ତ ଭାଇ ତୁମ୍ଭର ସେବା କରିବେ। ଏବଂ ମୁଁ ତାଙ୍କୁ ପ୍ରବଳ ଫସଲ ଓ ପ୍ରଚୁର ଦ୍ରାକ୍ଷାରସ ଜାତ ହେବା ପାଇଁ ଆଶୀର୍ବାଦ କରି ସାରିଛି। କ’ଣ ମୁଁ କରି ପାରିବି, ମୋ’ ପୁତ୍ର।”
38 କିନ୍ତୁ ଏଷୌ କହିଲେ, “ମୋ’ ପିତା, ତୁମ୍ଭର କ’ଣ କେବଳ ଗୋଟିଏ ଆଶୀର୍ବାଦ ଅଛି? ଆଶୀର୍ବାଦ କର ମୋତେ ମଧ୍ୟ, ପିତା।” ଏବଂ ଏହା କହି ଏଷୌ ଜୋର୍ରେ କାନ୍ଦିଲା।
39 ତା’ପରେ ଇସ୍ହାକ ତାଙ୍କୁ କହିଲେ,
“ତୁମ୍ଭେ ବାହାରରେ ବର୍ଷାରେ ରହିବ
ଯାହା ଭୂମି ଉତ୍ପାଦନ କରିବ ଛାଡ଼ି ଦେବ।
40 ତୁମ୍ଭେ ଖଡ଼୍ଗଜୀବି
ଓ ଆପଣା ଭ୍ରାତାର ଦାସ ହେବ।
କିନ୍ତୁ ତୁମ୍ଭେ ଯେତେବେଳେ ପ୍ରସ୍ତୁତ,
ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦେବ, ତେବେ ତୁମ୍ଭେ ମୁକ୍ତି ପାଇବ।”
Jacob Leaves the Country
41 ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହେତୁରୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ସେ ସ୍ଥିର କଲେ, “ମୁଁ ଅପେକ୍ଷା କରିବି ମୋର ପିତାଙ୍କର ଶୋକର ସମୟ ବିତିବା ଯାଏ। ଏହା ପରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି।”
42 କିନ୍ତୁ ସେହି ବାକ୍ୟଗୁଡ଼ିକ ରିବିକାକୁ ଶୁଣା ଯାଇଥିଲା। ଏଷୌ ଯାକୁବକୁ ହତ୍ୟା କରିବାର ଯୋଜନା କରିଅଛି। ସେ ଯାକୁବକୁ ଡାକି କହିଲେ, “ଶୁଣ ତୁମ୍ଭର ଭାଇ ଏଷୌ ତୁମ୍ଭକୁ ମାରିବା ପାଇଁ ଯୋଜନା କରିଛି।
43 ତେଣୁ ହେ ମୋର ପୁତ୍ର ମୁଁ ଯେମନ୍ତ କହୁଛି, ସେହିପରି କର। ମୋର ଭ୍ରାତା ଲାବନ ହାରଣରେ ବାସ କରୁଛି। ତୁମ୍ଭେ ତା’ ପାଖରେ ଯାଇ ଲୁଚ।
44 ତାଙ୍କ ପାଖରେ ଅଳ୍ପ ସମୟ ପାଇଁ ରୁହ। ତୁମ୍ଭ ଭାଇର ରାଗ ଶାନ୍ତ ହେବା ପର୍ଯ୍ୟନ୍ତ ତୁମ୍ଭେ ସେଠାରେ ରୁହ।
45 କିଛି ସମୟ ପରେ ତୁମ୍ଭ ଭାଇ ଭୁଲିଯିବ ତୁମ୍ଭେ ତା’ ପ୍ରତି କ’ଣ କରିଥିଲ। ତା’ପରେ ମୁଁ ଗ୍ଭକର ପଠାଇ ତୁମ୍ଭକୁ ନେଇ ଆସିବି। ମୁଁ ଏକାଦିନେ ଦୁଇ ଜଣକୁ ହରାଇବାକୁ ଗ୍ଭହୁଁ ନାହିଁ।”
46 ଏହା ପରେ ରିବିକା ଇସ୍ହାକଙ୍କୁ କହିଲେ, “ତୁମ୍ଭର ପୁତ୍ର ଏଷୌ ହିତ୍ତୀୟ କନ୍ୟାକୁ ବିବାହ କଲା, ଏହା ମୋର ପ୍ରାଣକୁ କଷ୍ଟ ଦେଉଅଛି। କାରଣ ସେମାନେ ଆମ୍ଭର ଲୋକ ନୁହନ୍ତି। ଯଦି ଯାକୁବ ଏହି ଦେଶର କନ୍ୟାକୁ ବିବାହ କରେ ତେବେ ମୁଁ ମରିଯିବି।”