ଅବ୍ରହାମଙ୍କର ବଂଶ
25
ଅବ୍ରହାମ ପୁନରାୟ ବିବାହ କଲେ, ତାଙ୍କର ନୂତନ ସ୍ତ୍ରୀର ନାମ ଥିଲା କଟୂରା। କଟୂରା ସିମ୍ରଣ, ଯ‌କ୍‌ଷନ୍, ମଦାନ୍, ମିଦିୟନ, ଯି‌ଶ୍‌ବକ୍ ଓ ଶୂହ ଏହିମାନଙ୍କୁ ଜନ୍ମ ଦେଲା। ସେହି ଯ‌କ୍‌ଷନ୍ ଶିବା ଓ ଦଦାନକୁ ଜନ୍ମ ଦେଲା। ଦଦାନର ପୁତ୍ରମାନେ ହେଲେ, ଅଶୂରୀୟ, ଲଟୂଶୀୟ ଓ ଲିୟମ୍ମୀୟ। ମିଦିୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଅବୀଦ ଓ ଇଲଦାୟା ଏହି ସମସ୍ତେ କଟୂରାର ସନ୍ତାନ। ଅବ୍ରହାମ ମରିବା ପୂର୍ବରୁ ସେ ତାଙ୍କର ଦାସୀପୁତ୍ରମାନଙ୍କୁ କିଛି ଉପହାର ଦେଲେ ଏବଂ ପୂର୍ବ ଦିଗକୁ ପଠାଇଲେ। ଅବ୍ରହାମ ମୃତ୍ୟୁ ପୂର୍ବରୁ ସେ ଦାସୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସେହି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। ସେ ସେମାନଙ୍କୁ ଇ‌ସ୍‌ହାକଠାରୁ ଦୂରକୁ ପଠାଇଲେ। ତା’ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇ‌ସ୍‌ହାକଙ୍କୁ ଦେଲେ।
ଅବ୍ରହାମ 175 ବର୍ଷ ବଞ୍ଚିଲେ। ଏହା ପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ୟୁବରଣ କଲେ। ସେ ଅନେକ ବର୍ଷ ପର୍ଯ୍ୟନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ। ତାଙ୍କର ପୁତ୍ର ଇ‌ସ୍‌ହାକ ଓ ଇଶ୍ମାଏଲ ମମ୍ରିର ନିକଟରେ ହେତୀୟ ସୋହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମ‌କ୍‌ପେଲା ନାମକ ଗୁହାରେ ତାହାଙ୍କୁ କବର ଦେଲେ। 10 ଯେହେତୁ ଅବ୍ରହାମ ହେତୀୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ। ସେହି ସ୍ଥାନରେ ଅବ୍ରହାମଙ୍କୁ ତାଙ୍କ ସ୍ତ୍ରୀ ସାରାଙ୍କ ସହିତ କବର ଦିଆଗଲା। 11 ଅବ୍ରହାମଙ୍କ ମୃତ୍ୟୁପରେ ପରମେଶ୍ୱର ତାଙ୍କର ପୁତ୍ର ଇ‌ସ୍‌ହାକଙ୍କୁ ଆଶୀର୍ବାଦ କଲେ। ଏବଂ ଇ‌ସ୍‌ହାକ ବେର-ଲହୟରୋୟୀ ନାମକ ସ୍ଥାନରେ ବସତି କଲେ।
12 ଏହା ସାରାର ମିଶରୀୟା ଦାସୀ ହାଗାରର ପୁତ୍ର, ଇଶ୍ମାଏଲଙ୍କର ପରିବାରର ତାଲିକା ଅଟେ। 13 ପ୍ରତ୍ୟେକ ବିଧିପୂର୍ବକ ତାଲିକା ଅନୁସାରେ ନାମ: ଇଶ୍ମାଏଲର ଜ୍ୟେଷ୍ଠପୁତ୍ର ନବାୟୋତ୍ ତାହା ଉତ୍ତାରେ କେରଦ ଓ ଅ‌ଦ୍‌ବେଲ ଓ ମି‌ବ୍‌ସମ୍। 14 ମି‌ଶ୍‌ମ ଓ ଦୂମା ଓ ମସା। 15 ହଦଦ୍, ତେମା, ଯିଟୁର ଓ ନାଫୀଶ୍ ଓ କେଦମା। 16 ଏହି ସମସ୍ତେ ଇଶ୍ମାଏଲଙ୍କର ସନ୍ତାନ, ସେମାନଙ୍କର ଗ୍ରାମ ଓ ଛାଉଣି ସ୍ଥାନ ଥିଲା। ସେହି ବାର ଜଣ ତାଙ୍କ ଗୋତ୍ରର ରାଜକୁମାର ଥିଲେ। 17 ଇଶ୍ମାଏଲ 137 ବର୍ଷ ବଞ୍ଚିଲେ। ଏହା ପରେ ସେ ପ୍ରାଣତ୍ୟାଗ କଲେ। ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ। 18 ଏହା ପରେ ତାହାର ବଂଶଧରମାନେ ହବୀଲାରୁ ମିଶରର ପାଖରେ ଶୂରଠୁ ଅଶୂରିୟା ଦିଗରେ ବସତି କଲେ। ସେମାନେ ନିଜ ନିଜ ପାଖରେ ବାସ କଲେ ଏବଂ ଇଶ୍ମାଏଲ ଆପଣାର ବଂଶଧର ଭାଇମାନଙ୍କ ସମ୍ମୁଖରେ ବସତି କଲେ।
ଇ‌ସ୍‌ହାକଙ୍କର ବଂଶ
19 ଅବ୍ରହାମଙ୍କର ପୁତ୍ର ଇ‌ସ୍‌ହାକଙ୍କର ବଂଶାବଳୀ ଏହି। ଅବ୍ରହାମ ଇ‌ସ୍‌ହାକଙ୍କୁ ଜନ୍ମ କଲେ। 20 ଯେତେବେଳେ ଇ‌ସ୍‌ହାକ ରିବିକାକୁ ବିବାହ କଲେ, ସେତେବେଳେ ତାଙ୍କୁ ଗ୍ଭଳିଶ୍ ବର୍ଷ ହୋଇଥିଲା। ଯିଏ କି ବଥୂୟେଲର କନ୍ୟା, ଅରାମୀୟ ପଦ୍ଦନ୍-ଅରାମୀୟ ଏବଂ ଅରାମୀୟ ଲାବନର ଭଗିନୀ। 21 ଇ‌ସ୍‌ହାକଙ୍କର ସେହି ସ୍ତ୍ରୀ ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲେ।
22 ଯେତେବେଳେ ରିବିକା ଗର୍ଭବତୀ ହେଲେ, ନିଜ ନିଜ ଭିତରେ ଶିଶୁମାନେ ଛନ୍ଦାଛନ୍ଦି ହେଲେ। ରିବିକା ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ମୋ’ ପ୍ରତି ଏପରି କାହିଁକି ଘଟିଲା?” 23 ସଦାପ୍ରଭୁ ତାହାଙ୍କୁ କହିଲେ,
“ତୁମ୍ଭ ଗର୍ଭରେ ଦୁଇ ଗୋଷ୍ଠୀ ଅଛନ୍ତି
ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହେବେ।
ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହେବ।
ପୁଣି ଜ୍ୟେଷ୍ଠ କନିଷ୍ଠର ସେବା କରିବ।”
24 ଉପଯୁକ୍ତ ସମୟରେ ରିବିକା ଯାଆଁଳା ପୁତ୍ର ଜନ୍ମ ଦେଲେ। 25 ଜ୍ୟେଷ୍ଠ ବାହାରି ଆସିଲା ରକ୍ତବର୍ଣ୍ଣ ଦେଖାଯାଉଥିଲା, ତାଙ୍କର ଚର୍ମ ଲୋମଶ ବସ୍ତ୍ରପରି ଥିଲା। ଏଣୁ ଏହାର ନାମ ଏଷୌ ଦିଆଗଲା। 26 ତା’ପରେ, ତାହାର ଭ୍ରାତା ଏଷୌର ଗୋଇଠି ଧରି ଜନ୍ମ ହେଲା। ଏଣୁକରି ତାହାର ନାମ ଯାକୁବ ଦିଆଗଲା। ଇ‌ସ୍‌ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜନ୍ମ ହେଲେ।
27 ଏହା ପରେ ବାଳକମାନେ ବଢ଼ିଲେ ଏବଂ ଏଷୌ ମୃଗୟାରେ ଜଣେ ନିପୁଣ ଓ ବନବିହାରୀ ହେଲା। ଯାକୁବ ଜଣେ ମୃଦୁ ମନୁଷ୍ୟ ତମ୍ବୁରେ ବାସ କଲା। 28 ଇ‌ସ୍‌ହାକ ମୃଗୟା ମାଂସ ଅତି ସୁସ୍ୱାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲେ।
29 ସେହି ସମୟରେ ଏଷୌ ବହୁତ କ୍ଳାନ୍ତ ହୋଇ କ୍ଷେତ୍ରରୁ ଆସିଲେ। 30 ତହୁଁ ସେ ଯାକୁବକୁ କହିଲେ, “ମୁଁ ବହୁତ ଥକି ଯାଇଛି ମୋତେ ଦୟାକରି ସେହି ଲାଲ ପଦାର୍ଥରୁ କିଛି ଦିଅ। ଏହି ନିମନ୍ତେ ତା’ର ନାମ ଇଦୋମ ନାମରେ ଖ୍ୟାତ ହେଲା।”
31 କିନ୍ତୁ ଯାକୁବ କହିଲେ, “ଆଜି ତୁମ୍ଭେ ମୋତେ ଆପଣାର ପ୍ରଥମଜାତ ପୁତ୍ର ଅଧିକାର ବିକ୍ରୟ କର।”
32 ଏଷୌ ଉତ୍ତର ଦେଲେ, “ଦେଖ ମୁଁ ମଲା ପରି, ଜ୍ୟେଷ୍ଠାଧିକାରରେ ମୋର କି ଲାଭ? ତେଣୁ ମୁଁ ଏହା ତୁମ୍ଭକୁ ଦେବି।”
33 କିନ୍ତୁ ଯାକୁବ କହିଲେ, “ପ୍ରଥମେ ତୁମ୍ଭେ ମୋତେ ଦେବା ପାଇଁ ପ୍ରତିଜ୍ଞା କର।” ତେଣୁ ସେ ପ୍ରତିଜ୍ଞା କଲେ। ଏବଂ ତାଙ୍କର ଜ୍ୟେଷ୍ଠତା ତାଙ୍କୁ ଦେଲେ। 34 ଏହା ପରେ ଯାକୁବ ଏଷୌକୁ ରୋଟୀ ଏବଂ ମସୁରଡାଲି ରାନ୍ଧି ଖାଇବାକୁ ଦେଲେ ଓ ସେ ସ୍ଥାନ ପରିତ୍ୟାଗ କଲେ। ଏହିପରି ଏଷୌ ନିଜର ଜ୍ୟେଷ୍ଠ ଭ୍ରାତାର ଅଧିକାର ବିଷୟରେ ପୁନର୍ବାର ଭାବିଲେ ନାହିଁ।