ହାମନଙ୍କୁ ଫାଶି ଦିଆଗଲା
7
1 ତେଣୁ ଏଷ୍ଟର ରାଣୀ ସହିତ ରାଜା ଓ ହାମନ୍ ଦ୍ରାକ୍ଷାରସ ପାନ କରିବାକୁ ଗଲେ।
2 ସେହି ଦ୍ୱିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, “ରାଣୀ ଏଷ୍ଟର! ତୁମ୍ଭର ନିବେଦନ କ’ଣ? ତାହା ତୁମ୍ଭକୁ ଦିଆଯିବ। ତୁମ୍ଭର ଇଚ୍ଛା କ’ଣ? ତହା ମୋର ଅର୍ଦ୍ଧେକ ରାଜ୍ୟ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦେବି।”
3 ଏହା ପରେ ରାଣୀ ଏଷ୍ଟର କହିଲେ, “ହେ ମହାରାଜ, ମୁଁ ଯଦି ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ ଯେବେ ମହାରାଜ ସନ୍ତୁଷ୍ଟ ହୋଇଛନ୍ତି, ତେବେ ମୋହର ନିବେଦନ ଅନୁସାରେ ମୋ’ ପ୍ରାଣ ଓ ମୋର ପ୍ରାର୍ଥନାନୁସାରେ ମୋ’ ଲୋକମାନଙ୍କୁ ମୋତେ ଦିଆଯାଉ।
4 କାରଣ ମୁଁ ଓ ମୋହର ଲୋକମାନେ ସଂହାରିତ, ହତ ଓ ବିନଷ୍ଟ ହେବା ନିମନ୍ତେ ବୀକ୍ରି ହୋଇଅଛୁ। ଯଦି ଆମ୍ଭେ ମାତ୍ର କ୍ରୀତଦାସ ରୂପେ ବିକ୍ରୀ ହୋଇଥାଆନ୍ତୁ ମୁଁ ନୀରବ ହୋଇ ରହିଥା’ନ୍ତି। ଯଦି ଏହା ରାଜାଙ୍କୁ ବିବ୍ରତ କଲାପରି ଆମ୍ଭର ଅସୁବିଧା ହୋଇ ନ ଥା’ନ୍ତା।”
5 ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀକି କହିଲା, “ଯେ ଏପର୍ଯ୍ୟନ୍ତ କର୍ମ କରିବାକୁ ମନରେ ସାହସ ବାନ୍ଧିଅଛି। ସେ କିଏ ଓ ସେ କେଉଁଠାରେ ଅଛି?”
6 ଏଷ୍ଟର କହିଲା, “ଏହି ଦୁଷ୍ଟ ହାମନ୍ ଜଣେ ବିପକ୍ଷ ଓ ଶତ୍ରୁ।”
ତହିଁରେ ରାଜା ଓ ରାଣୀ ସାକ୍ଷାତରେ ହାମନ୍ ଭୀତ ହେଲା।
7 ଆଉ ରାଜା କ୍ରୋଧରେ ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜାଦ୍ୱାରା ଆପଣାର ଅମଙ୍ଗଳ ନିଶ୍ଚିତ ହୋଇଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣଭିକ୍ଷା ମାଗିଲା।
8 ତେବେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, ସେତେବେଳେ ଏଷ୍ଟର ଯେଉଁ ଆସନରେ ବସିଥିଲା ହାମନ୍ ତହିଁ ଉପରେ ବସି ପଡ଼ିଲା। ତେଣୁ ରାଜା କହିଲା, “ଏ କ’ଣ ଗୃହ ମଧ୍ୟରେ ମୋ’ ସାକ୍ଷାତରେ ରାଣୀକୁ ବଳାତ୍କାର କରିବ?”
ଏହିକଥା ରାଜା ମୁଖରୁ ବାହାରିବା ମାତ୍ରେ ଲୋକମାନେ ହାମନ୍ର ମୁଖ ଢାଙ୍କି ପକାଇଲେ।
9 ଏହା ପରେ ରାଜାର ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲା, “ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍ ପଗ୍ଭଶ୍ ହାତ ଉଚ୍ଚ ଫାଶିକାଠ ପ୍ରସ୍ତୁତ କରିଅଛି। ତାହା ହାମାନ୍ର ଗୃହରେ ସ୍ଥାପିତ ହୋଇଅଛି।”
ରାଜା କହିଲେ, “ତହିଁ ଉପରେ ଏହାକୁ ଫାଶି ଦିଅ।”
10 ଏଥିରେ ହାମନ୍, ମର୍ଦ୍ଦଖୟ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସେମାନେ ହାମନ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କ୍ରୋଧ ଶାନ୍ତ ହେଲା।